କ୍ରୀଡ଼ାର ପ୍ରାଣ କେନ୍ଦ୍ର କୁହାଯାଉଥିବା ଓଡ଼ିଶାରେ ନାହିଁ କ୍ରୀଡ଼ା ନୀତି

ଭୁବନେଶ୍ୱର: ସ୍ପୋର୍ଟସ କ୍ୟାପିଟାଲ୍ ଅଫ୍ ଇଣ୍ଡିଆ ତଥା କ୍ରୀଡ଼ାର ପ୍ରାଣକେନ୍ଦ୍ର ଭଳି ସ୍ଲୋଗାନ୍ ଦେଉଥିବା ଓଡ଼ିଶାରେ ନାହିଁ କ୍ରୀଡ଼ା ନୀତି। ବିଧାନସଭାରେ ଏହା ସ୍ୱୀକାର କରିଛନ୍ତି ଖୋଦ୍ ବିଭାଗୀୟ ମନ୍ତ୍ରୀ ତୁଷାରକାନ୍ତି ବେହେରା। ବିଧାୟକ ଭୂପିନ୍ଦର ସିଂଙ୍କ ପ୍ରଶ୍ନର ଉତ୍ତରରେ ଖୁବ୍‌ ଶୀଘ୍ର ଏ ସମ୍ପର୍କିତ ଖସଡ଼ା ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ।
ସେହିପରି ରାଜ୍ୟରେ ୪୦ଟି ଖେଳକୁ ସ୍ୱୀକୃତି ଦିଆଯାଇଥିବା ସେ ସୂଚନା ଦେଇଛନ୍ତି। ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟରେ ଖେଳାଳିଙ୍କ ସଂଖ୍ୟା ନେଇ ବିଧିବଦ୍ଧ ଭାବେ ସର୍ଭେ ହୋଇ ନ ଥିବା ମନ୍ତ୍ରୀ କହିଛନ୍ତି।   ଆଉ ଅନ୍ତର୍ଜାତୀୟ ଓ ଜାତୀୟ ସ୍ତରରେ ସଫଳ ୯୮ ଜଣ  କ୍ରୀଡ଼ାବିତ୍‌ଙ୍କୁ ନିଯୁକ୍ତି ମିଳିଥିବା ତଥ୍ୟ ଦେଇଛନ୍ତି ମନ୍ତ୍ରୀ।

କ୍ରୀଡ଼ା ନୀତି ଦ୍ୱାରା ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ଘଟିବା ସହ ଅନେକ ବିଶ୍ୱସ୍ତରୀୟ ଖେଳାଳି ସୃଷ୍ଟି ହେବେ। ଏଥିପାଇଁ କ୍ରୀଡ଼ା ନୀତି ଲାଗୁ କରିବା ନିହାତି ଜରୁରୀ ବୋଲି ମତ ଦେଇଛନ୍ତି ପୂର୍ବତନ କ୍ରୀଡ଼ା ପ୍ରଶାସକ ଓ ଖେଳାଳି। ବିଶେଷ କରି ଗ୍ରାମାଞ୍ଚଳରେ ରହୁଥିବା ଖେଳାଳିଙ୍କୁ ଏହାର ଫାଇଦା ମିଳିବ ଏବଂ ପୂର୍ବତନ ଖେଳାଳିଙ୍କୁ ସହଯୋଗ ମିଳିବ ବୋଲି ସେମାନେ ଆଶା କରିଛନ୍ତି।

ରାଜ୍ୟରେ ଠୋସ୍ କ୍ରୀଡ଼ା ନୀତି ନ ଥିବା ନେଇ ବିଧାନସଭାରେ ବିଧାୟକମାନେ ଉଦ୍‌ବେଗ ପ୍ରକାଶ କରିବା ସହ ଶୀଘ୍ର ଏହାକୁ ଲାଗି କରିବା ଲାଗି ଦାବି କରିଥିଲେ।

You might also like