ଓଡ଼ିଶା ଲଲିତକଳା ଏକାଡେମୀ ପୁରସ୍କାର ଘୋଷଣା

ଭୁବନେଶ୍ୱର: ଓଡ଼ିଶା ଲଲିତକଳା ଏକାଡେମୀର ୨୦୨୦-୨୧ ମସିହା ଲାଗି ପୁରସ୍କାର ଘୋଷଣା କରାଯାଇଛି। ବିଭିନ୍ନ କଳାକୃତି କ୍ଷେତ୍ରରେ ଏଥର ୮ ଜଣଙ୍କୁ ଏହି ପୁରସ୍କାର ମିଳିବ।

ଚଳିତବର୍ଷ ୩୯ତମ ରାଜ୍ୟସ୍ତରୀୟ ଚାରୁକଳା ପ୍ରଦର୍ଶନୀ ନିମନ୍ତେ ଓଡ଼ିଶାର ୫୧୫ ଜଣ ଶିଳ୍ପୀମାନଙ୍କଠାରୁ ୮୨୯ ଗୋଟି କଳାକୃତିର ଫଟୋଗ୍ରାଫ୍ ଗ୍ରହଣ କରାଯାଇଥିଲା। ଏହାପରେ ପ୍ରଥମ ପର୍ଯ୍ୟାୟ ବିଚାରକ ମଣ୍ଡଳୀଙ୍କ ସୁପାରିଶ କ୍ରମେ ୨୩୭ ଜଣ ଶିଳ୍ପୀ ସେମାନଙ୍କର କଳାକୃତିକୁ ଏକାଡେମୀ କାର୍ଯ୍ୟାଳୟରେ ଦାଖଲ କରିଥିଲେ। ତନ୍ମଧ୍ୟରୁ ୮ ଜଣ ଶିଳ୍ପୀଙ୍କୁ ସେମାନଙ୍କର ଶ୍ରେଷ୍ଠ କୃତି ପାଇଁ ପୁରସ୍କାର ପ୍ରଦାନ କରିବା ନିମନ୍ତେ ଦ୍ୱିତୀୟ ପର୍ଯ୍ୟାୟ ବିଚାରକ ମଣ୍ଡଳୀ ସୁପାରିଶ କରିଛନ୍ତି।

ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ଶିଳ୍ପୀମାନେ ହେଲେ- ଭାଷ୍କର୍ଯ୍ୟରେ ବିଶ୍ୱରଞ୍ଜନ କର ଏବଂ ସୁଧିରଞ୍ଜନ ମହାରଣା, ମୁଦ୍ରଣ କଳାରେ ସୁଜିତ କୁମାର ସ୍ୱାଇଁ, ଡ୍ରଇଁରେ ବିକାଶ ଚନ୍ଦ୍ର ସେନାପତି, ଜଳରଂଗରେ ସୂର୍ଯ୍ୟକାନ୍ତ ସ୍ୱାଇଁ, ଚିତ୍ରରେ ଅନୁପ କୁମାର ଚାନ୍ଦ, ଜ୍ୟୋତିପ୍ରକାଶ ସେଠୀ, ପାରମ୍ପରିକ ଚିତ୍ରରେ ପ୍ରମୋଦ କୁମାର ମହାରଣା।

ଚଳିତମାସ ଶେଷସୁଦ୍ଧା ଏକ ସ୍ୱତନ୍ତ୍ର ଉତ୍ସବରେ ପୁରସ୍କୃତ ଶିଳ୍ପୀମାନଙ୍କୁ ୨ ଲକ୍ଷ ଟଙ୍କା ପୁରସ୍କାର ରାଶି ସହିତ ତାମ୍ର ଫଳକ, ପ୍ରମାଣ ପତ୍ର ଓ ଉପଢୌକନ ପ୍ରଦାନ କରାଯାଇ ସମ୍ମାନିତ କରାଯିବ।

ଏହି ଅବସରରେ ଏକାଡେମୀ ତରଫରୁ ଚିତ୍ର ପ୍ରଦର୍ଶନୀରେ ସ୍ଥାନ ପାଇଥିବା କଳାକୃତିଗୁଡ଼ିକର ଏକ ରଙ୍ଗୀନ ଚିତ୍ରପୁସ୍ତିକା ମଧ୍ୟ ଉନ୍ମୋଚିତ କରାଯିବ।

ଏହି କାର୍ଯ୍ୟକ୍ରମରେ ଏକାଡେମୀର ସଭାପତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଶ୍ରୀ ରଂଜନ କୁମାର ଦାସ, ଓ.ଏସ୍.ଡି ମନସ୍ୱୀନି ସାହୁ ଏବଂ ଏକାଡେମୀର ସଚିବ ଗଜେନ୍ଦ୍ର ପ୍ରସାଦ ସାହୁ ଉପସ୍ଥିତ ଥିଲେ।

You might also like