ମା’ ଆଖିରେ ଲୁହ, ୩ ମାସ ହେଲା ମିଳୁନି ପୁଅର ପତ୍ତା

ଖଲ୍ଲିକୋଟ: କୁଏତରେ କାମ କରିବାକୁ ଯାଇ ଜଣେ ଓଡ଼ିଆ ଯୁବକ ନିଖୋଜ ହୋଇଯାଇଛନ୍ତି। ୩ ମାସ ହେଲା ସମ୍ପୃକ୍ତ ଯୁବକଙ୍କ କୌଣସି ପତ୍ତା ନ ମିଳିବାରୁ ପରିବାର ଲୋକ ଏବେ ଚିନ୍ତାରେ।

ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍‌ ଅନ୍ତର୍ଗତ ଫାରକାପଲ୍ଲୀ ଗାଁର ଟୁନା ନାୟକ ମାର୍ଚ୍ଚ ୨ ତାରିଖରୁ ନିଖୋଜ ହୋଇଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। କୁଏତର ଏକ ଘରୋଇ କମ୍ପାନୀରେ ସେ ଦର୍ଜି(ଟେଲର୍)‌ ଭାବେ କାମ କରୁଥିଲେ।

ଶେଷ ଥର ପାଇଁ ମାର୍ଚ୍ଚ ୨ ତାରିଖରେ ସେ ପରିବାର ଲୋକଙ୍କ ସହ କଥା ହୋଇଥିଲେ। ଘରକୁ ଟଙ୍କା ପଠାଇବା ପାଇଁ ସେହିଦିନ ସେ ଏଟିଏମ୍ ଯାଇଥିଲେ। ହେଲେ ସେ ଆଉ ଫେରି ନ ଥିଲେ। ବିଳମ୍ବ ହେବାରୁ ପରିବାର ଲୋକ ସେ ରହୁଥିବା ପଡୋଶୀଙ୍କ ଘରକୁ ଫୋନ କରି ତାଙ୍କ ସମ୍ପର୍କରେ ପଚାରି ବୁଝିଥିଲେ। ହେଲେ ତାଙ୍କର କୌଣସି ପତ୍ତା ମିଳିପାରିନଥିଲା। ଏହି ଘଟଣାକୁ ନେଇ ଟୁନାଙ୍କୁ କୁଏତ ପଠାଇଥିବା ମୁମ୍ବାଇ ଏଜେଣ୍ଟ୍‌ ଓ କୁଏତ କମ୍ପାନୀ ସହ ଟୁନାଙ୍କ ଭାଇ ଯୋଗଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା।

ଶେଷରେ ପରିବାର ଲୋକ ଥାନାରେ ଏତଲା ଦେଇଛନ୍ତି। ଏହାସହ ଗଞ୍ଜାମ ଜିଲ୍ଲାପାଳ, ଏସ୍‌ପି ଓ ଶ୍ରମ ଅଧିକାରୀଙ୍କୁ ପୁଅ ନିଖୋଜ ହେବା କଥା ପରିବାର ଲୋକ ଜଣାଇଛନ୍ତି। ପୁଅ ନିଖୋଜ ଘଟଣାକୁ ୩ ମାସ ବିତି ଯାଇଥିଲେ ବର୍ତ୍ତମାନ ସୁଦ୍ଧା ଟୁନାଙ୍କର କୌଣସି ପତ୍ତା ମିଳିପାରିନାହିଁ। ଫଳରେ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।

ପୁଅକୁ ଖୋଜି ଆଣିବା ପାଇଁ କାନ୍ଦି କାନ୍ଦି ଟୁନାଙ୍କ ମା’ ପ୍ରଶାସନକୁ ନିବେଦନ କରିଛନ୍ତି।

You might also like