ଇସ୍ରୋର ମିସନ୍‌ ଗନଗଯାନରେ ସାମିଲ୍‌ ହୋଇପାରନ୍ତି ଓଡ଼ିଆ ଓ୍ୱିଙ୍ଗ୍ କମାଣ୍ଡର ନିଖିଲ ରଥ

ବଲାଙ୍ଗିର: ଦେଶର ବହୁ ପ୍ରତୀକ୍ଷିତ ଗଗନଯାନ ପ୍ରକଳ୍ପରେ ସାମିଲ ହୋଇପାରନ୍ତି ଓଡ଼ିଆ ବାୟୁସେନା ଅଧିକାରୀ ଓ୍ୱିଙ୍ଗ୍ କମାଣ୍ଡର ନିଖିଲ ରଥ। ବଲାଙ୍ଗିରର ବିଶିଷ୍ଟ ଆଇନଜୀବୀ ଅଶୋକ ରଥଙ୍କ ପୁଅ ହେଉଛନ୍ତି ନିଖିଲ। ସର୍ଟ ଲିଷ୍ଟ କରାଯାଇଥିବା ପାଇଲଟଙ୍କ ମଧ୍ୟରେ ଅଛନ୍ତି ନିଖିଲ।

୨୦୨୨ରେ ନିଜର ମ୍ୟାନ୍‌ଡ ମିଶନ ଗଗନଯାନରେ ଇସ୍ରୋ ତିନି ଜଣ ମହାକାଶଚାରୀଙ୍କୁ ମହାକାଶ ପ୍ରେରଣ କରିବ। ୭ ଦିନର ଏହି ଅଭିଯାନରେ ମହାକାଶଚାରୀମାନେ ଭୂପୃଷ୍ଠରୁ ୩ ଶହରୁ ୪ ଶହ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ଯାତ୍ରା କରିବେ। ସେଥିପାଇଁ ପ୍ରଥମ ପର୍ଯ୍ୟାୟରେ କିଛି ପାଇଲଟ୍‌ଙ୍କୁ ମନୋନୀତ କରାଯାଇଛି। ଏମାନଙ୍କ ମଧ୍ୟରୁ ଚୂଡ଼ାନ୍ତ ୩ ଜଣ ଗଗନଯାନ ପ୍ରକଳ୍ପରେ ସାମିଲ ହେବେ। ସେହି ୩ ଜଣଙ୍କୁ ରୁଷିଆରେ ଟ୍ରେନିଂ ଦିଆଯିବ। ଆମେରିକା, ରୁଷିଆ ଓ ଚୀନ ପରେ ଭାରତ ଚତୁର୍ଥ ଦେଶ ଭାବେ ମହାକାଶକୁ ମଣିଷ ପ୍ରେରଣ କରିବାକୁ ଲକ୍ଷ୍ୟ ରଖିଛି। ଗଗନଯାନ ପ୍ରକଳ୍ପର ବଜେଟ ହେଉଛି ୯ ହଜାର କୋଟି ଟଙ୍କା।

ଆହୁରି ପଢ଼ନ୍ତୁ

You might also like