ବିଜୟଙ୍କ ବିଜୟ ଯାତ୍ରା ଥିଲା ଏମିତି…

ଭୁବନେଶ୍ୱର: ସବୁ ଚରିତ୍ରକୁ ନିଖୁଣ ଭାବେ ନିଭେଇବାର କଳା ଯଦି କାହା ପାଖରେ ଥିଲା, ସେ ହେଉଛନ୍ତି ବିଜୟ ମହାନ୍ତି। କେବେ ରୂପା ଶଗଡ଼ିରେ ସୁନା କନିଆଁକୁ ବସାଇ ଆପଣଙ୍କ ପାଖକୁ ଆସିଥିଲେ, ଆଉ କେବେ ଜଗା ହାତରେ ପଘା ମାଧ୍ୟମରେ ପହଞ୍ଚିଥିଲେ ସିନେ ପରଦାରେ। ସିନେମା ଆଉ ଅଭିନୟକୁ ସେଲୁଲଏଡ୍‌ରେ ସେଲିବ୍ରେଟ୍ କରିଥିବା ବିଜୟ ମହାନ୍ତିଙ୍କ ସମ୍ପର୍କରେ ଏମିତି ଅନେକ ଅସରନ୍ତି କଥା ଓ କାହାଣୀ ରହିଛିା ଆସନ୍ତୁ ଜାଣିବା ବିଜୟଙ୍କ ବିଜୟଯାତ୍ରା ସମ୍ପର୍କରେ ସଂକ୍ଷେପରେ।

ସମୟର ଯଥେଷ୍ଟ ପୂର୍ବରୁ ସବୁ ମୋହ ତୁଟାଇ,ଏକ ଅଫେରା ରାଇଜକୁ ବାହୁଡ଼ିଗଲେ ରୂପା ଶଗଡ଼ିର ସେଇ ଶଗଡ଼ିଆ। ଇଏ ସେହି ବିଜୟ ମହାନ୍ତି, ଯିଏ ଦୀର୍ଘ ୫ ଦଶନ୍ଧି ଧରି ବିଜୟର ଯାତ୍ରା ଜାରି ରଖିଥିଲେ କୋଟି କୋଟି ଓଡ଼ିଆ ସିନେ ପ୍ରେମୀଙ୍କ ହୃଦୟରେ। ସମୟ ଏମିତି ଥିଲା ସିଏ ନଥିଲେ ଫିଲ୍ମ ଚାଲୁ ନଥିଲା ପରଦାରେ।

କେତେବେଳେ ସେ ଜଗା ତ କେତେବେଳେ ଜଗନ୍। ସବୁ ଚରିତ୍ରକୁ ଫିଟ୍। ୧୯୭୭ରେ ଚିଲିକା ତୀରେ ସିନେମାରୁ ଆରମ୍ଭ ହୁଏ ବିଜୟଙ୍କ ଅଭିନୟର ଯାତ୍ରା। କେତେବେଳେ ଖଳନାୟକ ତ କେତେବେଳେ ରୋମାଣ୍ଟିକ ନାୟକ, ପୁଣି କେତେବେଳେ ଅଜଣା ଗାଁର ଅପାଠୁଆ ମଣିଷର ଚରିତ୍ର, ରିଲ୍ ଲାଇଫ୍‌ରେ ପ୍ରାୟ ଦେଢ଼ ଶହରୁ ଅଧିକ ଫିଲ୍ମରେ ବିଜୟ ଛାଡ଼ି ଯାଇଛନ୍ତି ଅଭୁଲା ଅଭିନୟର ଯାଦୁ।

ଏମିତି ତ ତାଙ୍କର ସବୁ ଫିଲ୍ମ ହିଟ୍। ହେଲେ ୧୯୮୫ରେ ତାଙ୍କ ଅଭିନୀତ ୧୦ଟି ଫିଲ୍ମ ଥିଲା ଯେମିତି ଉଭୟ ବିଜୟ ଏବଂ ଓଲିଉଡ୍ ପାଇଁ ସୁବର୍ଣ୍ଣ ସମୟ। ଜଗା ହାତରେ ପଘା, ହାକିମ ବାବୁ, ସହରି ବାଘ, ମମତା ମାଗେ ମୂଲ ଓ ଏଇ ଆମ ସଂସାର ସବୁ ଫିଲ୍ମ ଥିଲା ସୁପର ହିଟ୍।

ତେବେ ୧୯୮୮ରେ ରିଲିଜ୍ ହୋଇଥିବା ପୁଅ ମୋର କଳା ଠାକୁର ହୋଇଥିଲା ସୁପର ଡୁପର ହିଟ୍। ଯାହାକି ତାଙ୍କୁ ରାତା ରାତି ଦେଇ ଥିଲା ଜଗନ୍ ନାଁରେ ନୂଆ ପରିଚୟ।

ଓଲିଉଡ୍‌ର ବାଦ୍‌ଶାହ ବିଜୟଙ୍କ ଜନ୍ମ ୧୯୫୦ ମସିହା ଏପ୍ରିଲ୍ ୮ ତାରିଖ କେନ୍ଦ୍ରାପଡ଼ା ଜିଲ୍ଲା ପାଣ୍ଡିରି ଗାଁରେ। ବାପା ବାରିପଦାରେ ଚାକିରି କରୁଥିବାରୁ ସେଇଠି କଟିଥିଲା ସ୍କୁଲ ଜୀବନ। ୧୯୭୩ରେ ଦିଲ୍ଲୀ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାରୁ ପାସ୍ ଆଉଟ୍ ପରେ ବଲିଉଡ୍‌ରେ କାମ କରିବାରେ ଅସୁବିଧା ନଥାନ୍ତା। କାରଣ ତାଙ୍କର ସହପାଠୀ ଥିଲେ ଓମ୍‌ପୁରୀ, ନସିରୁଦ୍ଦିନ ଶାହ, ରାଜ ବବ୍ବରଙ୍କ ଭଳି ବହୁ ନାମକରା ଆକ୍ଟର।

ହେଲେ ମାଆ ମାଟିର ମୋହରେ ପଡ଼ି ଓଡ଼ିଆ ସିନେମାକୁ ବାଛିଥିଲେ କର୍ମମୟ ଜୀବନ ଭାବେ। ୧୯୭୭ରେ ସେ ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ଅଧ୍ୟାପକ ମଧ୍ୟ ହୋଇଥିଲେ। ନିଜ ଫିଲ୍ମ କ୍ୟାରିୟରରେ ବିଜୟ ଦେଢ଼ ଶହରୁ ଅଧିକ ସିନେମା ସହ ଶତାଧିକ ମଞ୍ଚ ନାଟକରେ ବି ନିଖୁଣ ଅଭିନୟ କରିଛନ୍ତି। ଏଥିପାଇଁ ତାଙ୍କୁ ମିଳିଛି ଅଜଶ୍ର ସମ୍ମାନ ଓ ପୁରସ୍କାର।

ଚିଲିକା ତୀରେରେ ଜୀବନ୍ତ ଅଭିନୟ ପାଇଁ ବିଜୟ ଜାତୀୟ ପୁରସ୍କାର ସହ ୬ ଥର ରାଜ୍ୟ ଚଳଚିତ୍ର ପୁରସ୍କାର, ସର୍ବୋପରି ଜୟଦେବ ପୁରସ୍କାର ମଧ୍ୟ ପାଇଛନ୍ତି। ସେହିପରି ତରଙ୍ଗ ସିନେ ପ୍ରଡକ୍ସନ ପକ୍ଷରୁ ବି ଜୀବନ ବ୍ୟାପୀ ଅବଦାନ ପାଇଁ ତାଙ୍କୁ ଦିଆଯାଇଥିଲା ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ। ତରଙ୍ଗ ସିନେ ପ୍ରଡକ୍ସନର ଗୋଲମାଲ୍ ଲଭ୍ ଥିଲା ତାଙ୍କ ଶେଷ ଅଭିନୀତ ଚଳଚିତ୍ର।

ଅଭିନୟ ଜଗତ ସହ ଜଡ଼ିତ ଥାଇ ବି ୨୦୧୪ରେ ରାଜନୀତି ସେ ଭାଗ୍ୟ ପରୀକ୍ଷା କରିଥିଲେ। କଂଗ୍ରେସ ଟିକେଟ୍‌ରେ ଭୁବନେଶ୍ୱର ଲୋକସଭା ଆସନରୁ ନିର୍ବାଚନ ଲଢ଼ିଥିଲେ। ତେବେ ଗତକାଲି ସବୁ ଦିନ ପାଇଁ ଅଫିଟା କଟି ପକାଇ ଚାଲିଗଲେ ଆରପାରିକୁ।

ଆହୁରି ପଢ଼ନ୍ତୁ

୫ ଶହ ଟଙ୍କା ପାଇଁ ନାବାଳକଙ୍କୁ ପିଟି ପିଟି ମାରିଦେଲେ !

ରହସ୍ୟ ଘେରରେ ମା’-ଝିଅଙ୍କ ମୃତ୍ୟୁ: ୪ ଦିନ ହେଲା ପଡ଼ି ରହିଛି ମୃତଦେହ

ବିଜେଡି ଛାଡ଼ିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଲେ ରବୀନ୍ଦ୍ର ଜେନା

୨୪ ଘଣ୍ଟାରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ରୋଗୀ

ଦିନକରେ ଓଡ଼ିଶାରେ ୪,୨୩୭ କରୋନା ଆକ୍ରାନ୍ତ‌ ଚିହ୍ନଟ

‘ମୃତକଙ୍କ ହେବନି କୋଭିଡ୍-୧୯‌ ଟେଷ୍ଟ୍‌’

OJEE 2020: ଆଜି ଅନ୍‌ଲାଇନ୍‌ ଆବେଦନର ଶେଷ ତାରିଖ

ଗୁପ୍‌ଚୁପ୍ ଖାଉଥିବା ବେଳେ ତଣ୍ଟିରେ ଲାଗିଗଲା ଗୁପ୍‌ଚୁପ୍, ଚାଲିଗଲା ଜୀବନ

ବଦଳିବ ଭୁବନେଶ୍ୱର ମାନଚିତ୍ରର ରୂପରେଖ, ୩ଟି ଜୋନକୁ ନେଇ ହେବ ଐତିହ୍ୟ ଜିଲ୍ଲା

ଭୁବନେଶ୍ୱର ନାବାଳିକା ନିର୍ଯାତନା ଅଭିଯୋଗ ମାମଲାରେ ବାଟବଣା ହେଉଛି କି ତଦନ୍ତ?

ରାଜ୍ୟର ସବୁ କୋଭିଡ୍‌ ହସ୍ପିଟାଲରେ ହେଲ୍‌ପ ଡେସ୍କ ବାଧ୍ୟତାମୂଳକ

ଦିନକରେ ୩୮୩୪ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

You might also like