ତ୍ରିପୁରାରେ ଓଡ଼ିଆ ଛାତ୍ର ଓ ଶିକ୍ଷକଙ୍କୁ ନିର୍ଯାତନା ପ୍ରସଙ୍ଗ

ଘଟଣାକୁ ଗୁରୁତର ସହ ନେଲେ ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ

ଭୁବନେଶ୍ୱର : ତ୍ରିପୁରାରେ ଓଡ଼ିଆ ଛାତ୍ର ଓ ଶିକ୍ଷକଙ୍କୁ ନିର୍ଯାତନା ପ୍ରସଙ୍ଗକୁ ଗୁରୁତର ସହ ନେଲେ ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ। ଶିକ୍ଷାନୁଷ୍ଠାନରେ କୌଣସି ପ୍ରକାରର ଅସାମାଜିକ କାର୍ଯ୍ୟକଳାପକୁ ବରଦାସ୍ତ କରାଯିବ ନାହିଁ। ଦେଶର କୋଣ ଅନୁକୋଣରୁ ଅାସିଥିବା ଛାତ୍ରଙ୍କ ସୁରକ୍ଷା ଦିଅାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ଓଡ଼ିଆ ଛାତ୍ରଛାତ୍ରୀଙ୍କ ସୁରକ୍ଷା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅାଲୋଚନା ପରେ ଏହି ଟ୍ୱିଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ । ଅନ୍ୟପଟେ ତ୍ରିପୁରାରେ ଓଡ଼ିଆ ଛାତ୍ର ଓ ଶିକ୍ଷକଙ୍କୁ ନିର୍ଯାତନା ଅଭିଯୋଗ ପରେ ସେଠାକୁ ରାଜ୍ୟ ସରକାରଙ୍କ ଏକ ଉଚ୍ଚସ୍ତରୀୟ ଟିମ୍ ଯାଉଛି।

ଏହି ଟିମ୍‌ରେ ଅଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଭିସି ଏବଂ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ । ଏହା ସହିତ ସେଠାକାର ଡିଜିପିଙ୍କ ସହିତ କଥା ହୋଇଛନ୍ତି ଓଡ଼ିଶାର ଡିଜିପି ଆର୍‌ପି ଶର୍ମା । ତାଙ୍କ ସୂଚନା ଅନୁସାରେ ଅଗରତାଲାର ଏସ୍‌ପି ସେଠାକାର ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନକୁ ଯାଇ ଓଡ଼ିଆ ଛାତ୍ର ଓ ଶିକ୍ଷକଙ୍କ ସହିତ ଅାଲୋଚନା କରିଛନ୍ତି ଏବଂ ସୁରକ୍ଷା ସହିତ ସବୁ ପ୍ରକାର ସାହାଯ୍ୟର ପ୍ରତିଶ୍ରୁତି ଦେଇଛନ୍ତି।

ଘଟଣା ଉପରେ ନଜର ରଖିବା ସହିତ ନିୟମିତ ଭାବେ ତ୍ରିପୁରା ଡିଜିପିଙ୍କ ସହିତ ଯୋଗାଯୋଗରେ ରହିବେ ବୋଲି କହିଛନ୍ତି ଆର୍‌ପି ଶର୍ମା । ଅଗରତାଲା ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନର ୯୦ ଜଣ ଓଡ଼ିଆ ଛାତ୍ର ଓ ୧୦ ଜଣ ଶିକ୍ଷକଙ୍କୁ ସ୍ଥାନୀୟ ଛାତ୍ରମାନେ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା।

You might also like