ନୂଆପଡ଼ାର ୫ ଶିକ୍ଷକ ବୋଡେନ ଥାନାରେ ଅଟକ

ମାଟ୍ରିକ୍‌ ପ୍ରଶ୍ନପତ୍ର ଭାଇରାଲ ଘଟଣା

ଭୁବନେଶ୍ୱର : ମାଟ୍ରିକ୍‌ ପ୍ରଶ୍ନପତ୍ର ଭାଇରାଲ ଘଟଣାରେ ନୂଆପଡ଼ାର ୫ଜଣ ଶିକ୍ଷକଙ୍କୁ ଅଟକ ରଖିଛି ବୋଡେନ ଥାନା ପୁଲିସ୍‌। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶରେ ବିଇଓ ୫ଜଣ ଶିକ୍ଷକଙ୍କ ବିରୋଧରେ ବୋଡେନ ଥାନାରେ ଏତଲା ଦେଇଥିଲା।

ଏତଲାକୁ ଭିତ୍ତି କରି ପୁଲିସ୍‌ କାର୍ଯ୍ୟାନୁଷ୍ଠାନ ନେଇଛି। ଅନ୍ୟପଟେ ବୋର୍ଡ ସଭାପତିଙ୍କ ନିର୍ଦ୍ଦେଶର ୨୪ଘଣ୍ଟା ପରେ ବି ଢେଙ୍କାନାଳ ଓ କୋରାପୁଟରେ ଏତଲା ହୋଇନାହିଁ। ଜିଲ୍ଲା ଶିକ୍ଷାଧିକାରୀ ମାନେ ପ୍ରଶ୍ନପତ୍ର ଭାଇରାଲ ଘଟଣାରେ ଏତଲା ଦେବେ ବୋଲି ଗତକାଲି ବୋର୍ଡ ସଭାପତି ନିର୍ଦ୍ଦେଶ ଦେଇଥିଲେ।

ବୋର୍ଡର ନିର୍ଦ୍ଦେଶକୁ ଢେଙ୍କାନାଳ ଓ କୋରାପୁଟରେ ଜିଲ୍ଲା ଶିକ୍ଷା ଅଧିକାରୀ ମାନେ ପାଳନ କରିନଥିବା ଦେଖିବାକୁ ମିଳିଛି। ପ୍ରଶ୍ନପତ୍ର ଭାଇରାଲ ମାମଲାରେ ତଦନ୍ତ ବିଳମ୍ବ ହେଉଥିବାରୁ ଆସନ୍ତା ୨୫ ତାରିଖରେ ହେବାକୁ ଥିବା ପରୀକ୍ଷାର ପ୍ରଶ୍ନପତ୍ର ସୁରକ୍ଷା ନେଇ ଉଠିଛି ପ୍ରଶ୍ନ।

ପ୍ରଶ୍ନପତ୍ର ଭାଇରାଲ ଘଟଣା ଉପରେ ନଜର ରଖାଯାଇଛି। ତଦନ୍ତ ଭାର ଦିଆଗଲେ ଘଟଣାର ଖୋଳତାଡ଼ କରାଯିବ ବୋଲି କ୍ରାଇମବ୍ରାଞ୍ଚ ଏସ୍‌ପି କହିଛନ୍ତି।

You might also like