୫ଟି ଟ୍ରେନ୍‌ରେ ଓଡ଼ିଶା ଆସୁଛନ୍ତି ପ୍ରାୟ ୫ ହଜାରରୁ ଅଧିକ ପ୍ରବାସୀ

ଭୁବନେଶ୍ୱର: ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ପୁଣି ଟ୍ରେନ୍ ଯୋଗେ ଘରମୁହାଁ ହୋଇଛନ୍ତି ପ୍ରବାସୀ ଓଡ଼ିଆ।

ଗୁଜୁରାଟ, ମହାରାଷ୍ଟ୍ର ଓ ତାମିଲନାଡରୁ ଆଜି ୫ଟି ଟ୍ରେନ୍ ଯୋଗେ ପ୍ରାୟ ୫ ହଜାରରୁ ଅଧିକ ପ୍ରବାସୀ ଓଡ଼ିଶା ଅଭିମୁଖେ ଆସୁଛନ୍ତି।

ତେବେ ସୁରତ ଲିଙ୍କ୍ ପାଇଁ ରାଜ୍ୟର କରୋନା ସଂକ୍ରମଣ ହାର ଉଦ୍‌ବେଗଜନକ ଭାବେ ବଢ଼ି ଚାଲିଥିବାବେଳେ ଆସିବାକୁ ଥିବା ପ୍ରବାସୀ ଏବଂ ସେମାନଙ୍କ କ୍ୱାରେଣ୍ଟିନ୍ ବ୍ୟବସ୍ଥାକୁ ନେଇ ଚିନ୍ତା ବଢ଼ିଛି। ଏଭଳି ସ୍ଥିତିରେ ଗଞ୍ଜାମ ଓ ଭଦ୍ରକରେ ଥିବା ସମସ୍ତ କ୍ୱାରେଣ୍ଟିନ୍ ସେଣ୍ଟରରେ ୧୪୪ ଧାରା ଜାରି ହୋଇଛି।

ଗୁଜୁରାଟ, ମହାରାଷ୍ଟ୍ର ଓ ତାମିଲନାଡୁରୁ ଶ୍ରମିକଙ୍କୁ ଧରି ଆଜି ୫ଟି ଟ୍ରେନ୍ ଓଡ଼ିଶା ବାହାରିଛି। ଓଡ଼ିଶା ଆସିବା ଖୁସିରେ ପ୍ରବାସୀ ଓଡ଼ିଆମାନେ ସୁରତ ଜଗନ୍ନାଥପୁର ଷ୍ଟେସନ୍‌ରେ ସୁରତ ଜିଲ୍ଲାପାଳ ଓ ଅନ୍ୟ ସରକାରୀ ଅଧିକାରୀଙ୍କ ଉପରେ ଖୁସିରେ ପୁଷ୍ପ ବର୍ଷା କରିଥିଲେ।

ଆସୁଥିବା ୫ଟି ଟ୍ରେନ୍‌ ମଧ୍ୟରୁ ଗୁଜୁରାଟରୁ ୩, ମହାରାଷ୍ଟ୍ରର ପାନ୍‌ଭେଲରୁ ଗୋଟିଏ ଓ ଚେନ୍ନାଇରୁ ଗୋଟିଏ ଟ୍ରେନ୍ ଆସୁଛି। କେବଳ ଚେନ୍ନାଇରୁ ଆସିବାକୁ ଥିବା ଟ୍ରେନ୍ ସୋମବାର ସୁଦ୍ଧା ଗଞ୍ଜାମ ଜଗନ୍ନାଥପୁରରେ ପହଞ୍ଚିବାକୁ ଥିବା ବେଳେ ବାକି ସମସ୍ତ ଟ୍ରେନ୍ କାଲି ସଂଧ୍ୟା ସୁଦ୍ଧା ଜଗନ୍ନାଥପୁର ଓ ଖୋର୍ଦ୍ଧାରୋଡ୍ରେ ପହଞ୍ଚିବ। ଏସବୁ ଟ୍ରେନ୍‌ରେ ପାଖାପାଖି ସାଢ଼େ ୫ ହଜାର ପ୍ରବାସୀ ଥିବା ସୂଚନା ମିଳିଛି।

ବିପତ୍ତି ସମୟରେ ନିଜ ଭିଟାମାଟିକୁ ଫେରୁଥିବାରୁ ପ୍ରବାସୀ ଖୁସି, ହେଲେ ସୁରତଫେରନ୍ତାଙ୍କ ପରେ ରାଜ୍ୟରେ ଦ୍ରୁତ ଗତିରେ ବଢ଼ିଚାଲିଥିବା କରୋନା ସଂକ୍ରମଣକୁ ନେଇ ଟେନ୍‌ସନ୍‌ରେ ସରକାର।

ଏମିତିରେ କ୍ୱାରେଣ୍ଟାଇନ୍‌ ସେଣ୍ଟର୍‌ରେ ବି ହେଉଛି ନାନା ପ୍ରକାର ଅବ୍ୟବସ୍ଥା ଓ ଅନିୟମିତତା। କଟକ ବାଙ୍କିରେ ଥିବା ସଙ୍ଗରୋଧ କେନ୍ଦ୍ରର କ୍ୱାରେଣ୍ଟିନ୍‌ରେ ଥିବା ଲୋକଙ୍କ ପାଇଁ ଘରୁ ରନ୍ଧା ଖାଦ୍ୟ ଆସୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଅଭିଯୋଗ ହେଉଛି ଡମପଡ଼ା ଢଂସର ପଞ୍ଚାୟତରେ ଥିବା ଏହି କ୍ୱାରେଣ୍ଟିନ୍ ସେଣ୍ଚରରେ ଆଜିକୁ ୫ ଦିନ ଧରି ନା ରନ୍ଧା ଖାଦ୍ୟ ଦିଆଯାଉଛି ନା ଅନ୍ୟ ସୁବିଧା  ଦିଆଯାଉଛି।

ସେହିଭଳି ଗଞ୍ଜାମ ଶେରଗଡ଼ କ୍ୱାରେଣ୍ଟିନ୍ ସେଣ୍ଟରର ଏ ଦୃଶ୍ୟ ତ ଆହୁରି ଚିନ୍ତାଜନକ। ପଞ୍ଚାୟତ କ୍ୱାରେଣ୍ଟିନ୍ ସେଣ୍ଟରରେ ଥିବା ନିଜ ଆତ୍ମୀୟଙ୍କୁ ଲୋକେ ଖାଲି ଭେଟୁ ନାହାନ୍ତି, ନିୟମକୁ ଫୁଃ କରି ଖାଦ୍ୟ ପୁଡ଼ିଆ, ପାନ, ମୋବାଇଲ ଚାର୍ଜର ବି ଦେଉଛନ୍ତି। ତେଣୁ ସେ ଦୃଷ୍ଟିରୁ ଏବେ ପୂରା ଫୋକସ୍‌ରେ କ୍ୱାରେଣ୍ଟିନ୍ ସେଣ୍ଟର।

ଏହା ଭିତରେ ଗଞ୍ଜାମ ଓ ଭଦ୍ରକ ଜିଲ୍ଲା ପ୍ରଶାସନ ଏଇ ଦୁଇ ଜିଲ୍ଲାର ସମସ୍ତ କ୍ୱାରେଣ୍ଟିନ୍  ସେଣ୍ଟରରେ ୧୪୪ ଧାରା ଜାରି କରିଛନ୍ତି। ୧୦୦ ମିଟର ପରିସର ଭିତରକୁ କାହାରିକୁ ପ୍ରବେଶ ଅନୁମତି ନାହିଁ। ତେବେ କଟକଣା ପରେ କିଛି କିଛି ସ୍ଥାନରେ ଲୋକେ ହେଜିବାକୁ ଆରମ୍ଭ କଲେଣି।

ଏପଟେ ପ୍ରବାସୀ ଓଡ଼ିଆ ପ୍ରସଙ୍ଗକୁ ନେଇ ରାଜନୀତି ବି ତେଜିଛି। କଂଗ୍ରେସ ଆଜି ଏହି ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ୍ କରିଥିଲା ବେଳେ, ବିଜେପି ଶସ୍ତା ରାଜନୀତି ନକରିବାକୁ କହିଛି। ତେବେ କ୍ୱାରେଣ୍ଟିନ୍ ସେଣ୍ଟରରେ ସବୁ ଠିକ୍ ଠାକ୍ ଥିବା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ।

You might also like