ତାମିଲ୍‌ନାଡୁରେ ଓଡ଼ିଆ ଶ୍ରମିକଙ୍କୁ ମାଡ଼

ଚେନ୍ନାଇ: ତାମିଲନାଡ଼ୁର ତିରୁପୁରରେ ଥିବା ଏକ ଘରୋଇ କମ୍ପାନୀରେ ଓଡ଼ିଆ ଶ୍ରମିକଙ୍କୁ ମାଡ଼ ମରାଯାଇଥିବା ନେଇ ସାଘାଂତିକ ଅଭିଯୋଗ ଆସିଛି। ଏହି ସମୟର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍ ହୋଇଛି।

ଯେଉଁଥିରେ କିଛି ବ୍ୟକ୍ତି ଅନ୍ୟ ଶ୍ରମିକଙ୍କୁ ପିଟୁଛନ୍ତି। ହାତରେ ବାଡ଼ି ଧରି ନିସ୍ତୁକ ମାଡ଼ ମାରୁଛନ୍ତି। ଏପରିକି ଜଣେ ବ୍ୟକ୍ତିଙ୍କ ମୁଣ୍ଡ ଫାଟି ଯିବା ସହ ରକ୍ତ ମଧ୍ୟ ବାହାରୁଛି। ଆଉ କିଛି ଶ୍ରମିକଙ୍କୁ କମ୍ପାନୀ କର୍ମଚାରୀ ମାଡ଼ ମାରିଥିବା ବି ବ୍ୟକ୍ତି ଜଣକ କହୁଛନ୍ତି।

୩ ଶହରୁ ଅଧିକ ଓଡ଼ିଆ ଲୋକେ ଏହି କମ୍ପାନୀରେ କାମ କରୁଛନ୍ତି। ତେବେ ଲକ୍‌ଡାଉନ୍ ପରେ ଏମାନଙ୍କୁ ଦରମା ମିଳିନଥିଲା। ଯାହାକୁ ନେଇ ଏମାନେ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଦରମା ମାଗିଥିଲେ। କମ୍ପାନୀ କର୍ତ୍ତୃପକ୍ଷଙ୍କ ପାଖକୁ ଏକଜୁଟ୍ ହୋଇ ଯାଇ ସମସ୍ତେ ଟଙ୍କା ମାଗିଥିଲେ।

ହେଲେ ଦରମା ଦେବା ପରିବର୍ତ୍ତେ କମ୍ପାନୀର ସ୍ଥାନୀୟ କର୍ମଚାରୀ ତାଙ୍କୁ ପ୍ରବଳ ପିଟିଥିବା ସେ ଅଭିଯୋଗ କରିଛନ୍ତି। ତେବେ ଏନେଇ ସଂପୃକ୍ତ କମ୍ପାନୀର ପ୍ରତିକ୍ରିୟା ମିଳିପାରିନି।

ସେପଟେ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ସମୀର ଦାସ। ଖାଲି ତାମିଲନାଡ଼ୁ ନୁହେଁ ଅନ୍ୟ ରାଜ୍ୟରେ ବି ଓଡ଼ିଆ ଶ୍ରମିକ ଫସି ରହିଛନ୍ତି। ସେମାନଙ୍କ ଅସୁବିଧା ସମ୍ପର୍କରେ ସେ ଅବଗତ ଅଛନ୍ତି। ତାଙ୍କ ନିର୍ବାଚନ ମଣ୍ଡଳୀର ଲୋକେ ବି ବିଭିନ୍ନ ରାଜ୍ୟରେ ଫସି ରହିଛନ୍ତି। କେବଳ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରାଯାଉଛି। ତେଣୁ ଅନ୍ୟ ରାଜ୍ୟରେ ଥିବା ଲୋକଙ୍କୁ ଏବେ ଆଣିବା ଉପରେ ରୋକ ଲାଗିଛି ବୋଲି ମନ୍ତ୍ରୀ କହିଛନ୍ତି।

ତାମିଲନାଡ଼ୁରେ ଫସି ରହିଛନ୍ତି ଭଦ୍ରକ ଜିଲ୍ଲାର କିଛି ଶ୍ରମିକ। ଚେନ୍ନାଇର ରିମ୍ପୁରମ୍ ନିକଟରେ ଏକ ଟିଫିନ୍ ପ୍ରସ୍ତୁତ କାରୀ କମ୍ପାନୀରେ କାମ କରୁଛନ୍ତି।

ଲକ୍‌ଡାଉନ୍ ପରେ କମ୍ପାନୀ ବନ୍ଦ ହେବା ଯୋଗୁ ଏହି ଶ୍ରମିକମାନେ ଏବେ ଜୀବିକା ହରାଇଛନ୍ତି। ହାତରେ କାମ ନଥିବାରୁ ଏବେ ଅସୁବିଧା ଅଧିକ ବଢ଼ି ଯାଇଛି।

ରାଜ୍ୟକୁ ଫେରିବାକୁ ଅନ୍ ଲାଇନ୍ ରେଜିଷ୍ଟ୍ରେସନ୍ କରିଛନ୍ତି ଏମାନେ। ତେବେ ଏନେଇ କୌଣସି ପଦକ୍ଷେପ ହୋଇନଥିବାରୁ ଶ୍ରମିକମାନେ ଏବେ ଏକ ଭିଡିଓ ଜାରି କରିଛନ୍ତି।

ସେହିପରି ତାମିଲନାଡ଼ୁର ତିରିପୁରରେ ବହୁ ଶ୍ରମିକ ଫସି ରହିଛନ୍ତି। ଏହି  ଶ୍ରମିକମାନେ ହେଲେ ବଲାଙ୍ଗିର ଜିଲ୍ଲାର। ନିଜ ଘଅକୁ ଫେରିବାକୁ ଏମାନେ ବି ଏବେ ଅନୁରୋଧ କରିଛନ୍ତି।

 

You might also like