ବ୍ରହ୍ମପୁର: ପୋଲିସ୍ ମାଡ଼ରେ ସୁରତରେ ଥିବା ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଅଭିଯୋଗ। ସୁରତର ଏକ ଘରୋଇ କମ୍ପାନିରେ କାମ କରୁଥିଲେ ଗଞ୍ଜାମ ବାରୁଡ଼ା ଗାଁର ସତ୍ୟବ୍ରତ ସ୍ୱାଇଁ। ଗତକାଲି କିଛି ସହକର୍ମୀଙ୍କ ସହ ସୁରତର ଆମରୋଲି ନିକଟ କମ୍ପାନି ପାଖରେ ବସିଥିଲେ। ରାସ୍ତାକଡ଼ରେ ବସିଥିବା ସମୟରେ ପୋଲିସ୍ ଭିଡ଼ ନିୟନ୍ତ୍ରଣ ପାଇଁ ଲାଠି ଚାର୍ଜ କରିଥିଲା।
ହେଲେ ଏହି ସମୟରେ ସତ୍ୟବ୍ରତ ଓ ତାଙ୍କ ସହକର୍ମୀ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ। ନିଜ ରୁମରେ କବାଟ ବନ୍ଦ କରି ସତ୍ୟବ୍ରତ ଥିବା ବେଳେ ପୋଲିସ୍ କବାଟ ଭାଙ୍ଗି ଭିତରକୁ ପଶିଥିବା ଅଭିଯୋଗ ହୋଇଛି।
ସତ୍ୟବ୍ରତକୁ ନିର୍ଧୁମ ପିଟିବା ପରେ ମୃତ୍ୟୁ ହୋଇଥିବା ନେଇ ତାଙ୍କ ରୁମ୍ ମେଟ୍ ଅଭିଯୋଗ କରିଛନ୍ତି। ଅପରପକ୍ଷେ ସତ୍ୟବ୍ରତଙ୍କ ମୃତ୍ୟୁ ଖବର ପାଇବା ପରେ ଶୋକାକୂଳ ହୋଇପଡ଼ିଛି ଗଞ୍ଜାମର ବାରୁଡ଼ା ଗାଁ। ପରିବାର ଲୋକେ ମାମଲାରେ ତଦନ୍ତ ସହ ଯେଉଁମାନେ ଏଥିରେ ସଂପୃକ୍ତ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
https://www.youtube.com/watch?v=YrCwVSa-D38