ଝୁରୁଛି ମାଟି, ଝୁରୁଛନ୍ତି ପ୍ରିୟଜନ; ଫଟୋ ଧରି ବାହୁନି କାନ୍ଦୁଛନ୍ତି ପତ୍ନୀ

ଶଶାଙ୍କଙ୍କ ବିନା ସବୁକିଛି ଶୂନ୍ୟ ଲାଗୁଛି

ଯାଜପୁର(ଗୁଲାମ୍ ଗସ): ଝୁରୁଛି ମାଟି, ମନେ ପକାଉଛନ୍ତି ପରିବାର, ପ୍ରିୟଜନ। ଦେଶ ମାଟି ପାଇଁ ଜୀବନ ଦେଇଥିବା ସହିଦଙ୍କ ପାଇଁ ଆଜି ଆଖିରୁ ଲୁହ ସିନା ଶୁଖୁନି କିନ୍ତୁ ଗର୍ବରେ ଛାତି ଚଉଡ଼ା ହେଉଯାଉଛି ସମସ୍ତଙ୍କର। କାରଣ, ଦେଶ ପାଇଁ …ନିଜ ମାଟି ମାଆ ପାଇଁ ବଳିଦାନ ଦେଇଛନ୍ତି ଯାଜପୁର କ୍ଷେତ୍ରପାଳ ଗାଁର ସହିଦ୍ ଲାନ୍ସ ନାଏକ ଶଶାଙ୍କ ଶେଖର ସାମଲ। ସହିଦଙ୍କ ମରଶରୀର ପଂଚଭୁତରେ ଲୀନ ହୋଇଯିବା ପରେ ଏବେ ଖାଁ ଖାଁ ଲାଗୁଛି ପୁରା ଗାଁ।

ସେ ସିନା ଦେଶ ଲାଗି ନିଜ ପ୍ରାଣ ବଳି ଦେଇଛନ୍ତି କିନ୍ତୁ ତାଙ୍କୁ ଝୁରି ହେଉଛନ୍ତି ପୂରା ପରିବାର। ଆଖରୁ ଲୁହ ଯେମିତି ଶୁଖିବାର ନାଁ ଧରୁନି ପରିବାର ଲୋକଙ୍କର। ଦେଶ ପାଇଁ ବଳିଦାନ ଦେଇଥିବା ସହିଦ୍ ଲାନସ ନାଏକ ଶଶାଙ୍କ ଶେଖର ସାମଲଙ୍କ ଫଟୋ ଧରି ବାହୁନୁଛନ୍ତି ତାଙ୍କ ପତ୍ନୀ, ମାଆ ଓ ଭଉଣୀ। ରୋଜଗାରିଆ ପୁଅ ଅସମୟରେ ଛାଡି ଚାଲିଯିବା ପରେ ପରିବାରରେ ଯେମିତି ଘୋଟିଯାଇଛି କଳା ବାଦଲ। ୨ ବର୍ଷର ପୁଅ କିଛି ବୁଝିପାରୁ ନଥିଲେବି ତା ଆଖି କିନ୍ତୁ ଖୋଜୁଛି କେତେବେଳେ ତା ବାପା ସବୁଥର ଭଳି ଆସି ତାକୁ କୋଳକୁ ଟେକିନେବେ। ସହିଦ୍ ଯବାନ ଶଶାଙ୍କଙ୍କ ମରଶରୀର ପଞ୍ଚଭୂତରେ ଲୀନ ହୋଇଯାଇଛି ସତ କିନ୍ତୁ ତା ସହିତ ନିରବି ଯାଇଛି ଯାଜପୁର ଧର୍ମଶାଳା ବ୍ଲକର କ୍ଷେତ୍ରପାଳ ଗାଁ। ଏବେ ସଭିଏଁ ଝୁରୁଛନ୍ତି ବୀର ଯବାନଙ୍କୁ।

ସେପଟେ ସ୍ତ୍ରୀ ଲକ୍ଷ୍ମୀପ୍ରୀୟା କହିଛନ୍ତି ଯେ, ସହୀଦଙ୍କ ସ୍ତ୍ରୀ ହୋଇଥିବାରୁ ମୁଁ ବି ଗର୍ବିତ। ସେ ସମସ୍ତଙ୍କ ପରିବାରକୁ ବଂଚାଇ ମୋ ପରିବାରକୁ ଉଚ୍ଛନ୍ନ କରିଦେଇ ଗଲେ। ମୁଁ ସମସ୍ତଙ୍କୁ କହୁଛି ତାଙ୍କୁ ମନେ ରଖିଥାଅ।

୯ ବର୍ଷ ଧରି ଭାରତୀୟ ସ୍ଥଳସେନାରେ କାର୍ଯ୍ୟରତ ଥିଲେ ଶଶାଙ୍କ। ଆସନ୍ତା ମାର୍ଚ୍ଚ ମାସରେ ଘରକୁ ଫେରିବେ ବୋଲି କହିଥିଲେ। ଏନେଇ ଛୁଟି ବି ମଂଜୁର ହୋଇଥିଲା କିନ୍ତୁ ବିଧିର ବିଧାନ ବଡ ବିଚିତ୍ର। ଲଦାଖରେ ଡ୍ୟୁଟିସମୟରେ ଥିବା ବେଳେ ସେ ସହିଦ ହୋଇଥିଲେ। ଗାଁକୁ ଶଶାଙ୍କଙ୍କ ପାର୍ଥିବ ଶରୀର ଆସିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଥିବାବେଳେ ସହିଦଙ୍କ ପରିବାର ପ୍ରତି ସମବେଦନାର ସୁଅ ଛୁଟୁଛି। ମନ ଭିତରେ ଅନେକ ଦୁଖ, କୋହ ଥିଲେ ବି ଦେଶ ମାତୃକା ପାଇଁ ପ୍ରାଣବଳି ଦେଇଥିବାରୁ ପରିବାର ଲୋକେ ଗର୍ବ ଅନୁଭବ କରୁଛନ୍ତି।ସରକାର ଏହି ପରିବାରକୁ ସ୍ୱତନ୍ତ୍ର ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

 

 

You might also like