ନର୍ସ ନିହାରିକା ମର୍ଡର ମିଷ୍ଟ୍ରୀର ପର୍ଦ୍ଦାଫାସ୍‌; ରାଜା ମାରିଛି ପ୍ରେମିକା ନିହାରିକାକୁ

କଟକ: ବହୁଚର୍ଚ୍ଚିତ ନର୍ସ ନିହାରିକା ମର୍ଡର ମିଷ୍ଟ୍ରୀର ପର୍ଦ୍ଦାଫାସ୍ ହୋଇଛି। ବୟଫ୍ରେଣ୍ଡ ରାଜା ଓରଫ୍ କିଶୋର ଅଞ୍ଚଳ ହିଁ ନିହାରିକାଙ୍କ ହତ୍ୟାକାରୀ ବୋଲି ନିଜ ମୁହଁରେ ମାନିଛି ରାଜା। ଯୋଜନା ବଦ୍ଧ ଭାବେ କଟକ ଚାଉଳିଆଗଞ୍ଜ ସ୍ଥିତ ଜଣେ ସାଙ୍ଗର ଭଡ଼ା ଘରେ ରାଜା ନିହାରିକାଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି।

ହତ୍ୟାର କାରଣ ସମ୍ପର୍କରେ ଖୁଲାସା କରି ଜଗତସିଂହପୁର ଏସପି କହିଛନ୍ତି, ରାଜାକୁ ବିବାହ କରିବାକୁ ଅମଙ୍ଗ ଥିଲେ ନିହାରିକା। କାରଣ ନିହାରିକା ଏକ ପ୍ରାଇଭେଟ୍‌ ନର୍ସିଂହୋମ୍‌ରେ ନର୍ସ ଚାକିରି କରୁଥିବା ବେଳେ ବୟଫ୍ରେଣ୍ଡ ରାଜା ବେକାର ଥିଲା। ଏଣୁ ନିହାରିକା ବିବାହ କରିବାକୁ ମନା କରିବାରୁ ଏଥିରେ କ୍ଷୁବ୍ଧ ହୋଇ ରାଜା ନିହାରିକାଙ୍କୁ ସବୁଦିନ ପାଇଁ ଶେଷ କରିଦେବାକୁ ପ୍ଲାନ କରିଥିଲା।

ଯୋଜନା ମୁତାବକ ଗତ ୮ ତାରିଖ ୪ଟା ୫୦ ମିନିଟ୍‌ରେ ରାଜା, ନିହାରିକାଙ୍କୁ ଫୋନ୍‌ କରି ନର୍ସିଂହୋମ୍ ବାହାରକୁ ଆସିବାକୁ କହିଥିଲା। ନିହାରିକା ଆସିବା ପରେ ତାଙ୍କୁ ମୋଟରସାଇକେଲରେ ବସାଇ ଚାଉଳିଆଗଞ୍ଜସ୍ଥିତ ନିଜର ଜଣେ ସାଙ୍ଗ ସୁନୀଲ ସାହୁର ଏକ ଭଡ଼ା ଘରକୁ ନେଇ ଆସିଥିଲା। ପରେ ରାତି ୭ଟାରୁ ୮ଟା ଭିତରେ ରାଜା, ନିହାରିକାଙ୍କୁ ହତ୍ୟା କରି ତାଙ୍କ ମୃତଦେହକୁ ଏକ ଅଖାରେ ପୂରାଇ ରଖିଥିଲା।  ଆଉ ରାତିରେ ସାଙ୍ଗ ସହ ମିଶି ମୋଟର ସାଇକେଲରେ କେନାଲବନ୍ଧ ରାସ୍ତା ଦେଇ ବିରିଡ଼ି ଅଭିମୁଖେ ଯାଇଥିଲା। ଆଉ ସେଠି ଡେଡ୍‌ବଡିକୁ ବିଲୁଆଖାଇ ନଈପଠାରେ ଫିଙ୍ଗିଦେଇ ଫେରି ଆସିଥିଲା।

ତେବେ ନିହାରିକାଙ୍କ ନିଖୋଜ ନେଇ ୯ ତାରିଖରେ କଟକ ମଧୁପାଟଣା ଥାନାରେ ପରିବାର ଲୋକେ ଏତଲା ଦେବା ପରେ ଆରମ୍ଭ ହୋଇଥିଲା ତନାଘନା। ରାଜା ଉପରେ ସନ୍ଦେହ ବଢ଼ିବାରୁ ସେ କଟକ ଛାଡ଼ି ଚେନ୍ନାଇ ପଳାଇଥିଲା। ଆଉ ଗତକାଲି ଗାଁକୁ ଫେରିଥିବା ଜାଣି ଜଗତସିଂହପୁର ପୁଲିସ ତାକୁ ଗିରଫ କରିଥିଲା।

ତେବେ ରାଜାର ଫୋନ୍ କଲ୍ ରେକର୍ଡ ଓ ତା ସାଙ୍ଗର ବୟାନ ହିଁ ହତ୍ୟାକାରୀକୁ ଧରାଇବାରେ ସାହାଯ୍ୟ କରିଥିବା ଏସ୍‌ପି କହିଛନ୍ତି। ହତ୍ୟାକାରୀର ବୟାନ, ସେ ବ୍ୟବହାର କରିଥିବା ମୋଟର ସାଇକେଲ, ହେଲମେଟ୍, ଫୋରେନସିକ୍ ଓ ପୋଷ୍ଟମର୍ଟମ୍ ରିପୋର୍ଟ ସହ ସିସିଟିଭି ଫୁଟେଜ୍‌କୁ ଏକାଠି କରି ପୁଲିସ ଅଧିକ ତନାଘନା ଚଳାଇଛି।

ତେଣେ ନିଜ ପୁଅକୁ ସଂପୂର୍ଣ୍ଣ ନିର୍ଦ୍ଦୋଷ ଦର୍ଶାଇଛନ୍ତି ଅଭିଯୁକ୍ତ ରାଜାର ମାଆ। କହିଛନ୍ତି ରାଜା ସହ ନିହାରିକାଙ୍କର ଆସନ୍ତା ଡିସେମ୍ବରରେ ବିବାହ ସ୍ଥିର ହୋଇସାରିଥିବାରୁ ସେ କାହିଁକି ଏଭଳି କାଣ୍ଡ ଘଟାଇବ ବୋଲି ପ୍ରଶ୍ନ କରିଛନ୍ତି ତାଙ୍କ ରାଜାର ମାଆ। ଅନ୍ୟପଟେ ନିହାରିକାଙ୍କ ବାପାମାଆ କିନ୍ତୁ ହତ୍ୟାକାରୀକୁ ଫାଶିଦଣ୍ଡ ଦେବାକୁ ଗତକାଲି ଦାବି କରିଥିଲେ।

 

 

ଆହୁରି ପଢ଼ନ୍ତୁ

You might also like