ବହୁ ଚର୍ଚ୍ଚିତ ନର୍ସ ନିହାରିକା ହତ୍ୟା ରହସ୍ୟ ଉପରୁ ଉଠିବ କି ପର୍ଦ୍ଦା?

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ନର୍ସ ନିହାରିକା ହତ୍ୟା ମାମଲାରେ ଗୁମର ଖୋଜୁଛି ପୁଲିସ୍‌। ସନ୍ଦିଗ୍ଧ ପ୍ରେମିକ କିଶୋର ଆଞ୍ଚଲ  ଓରଫ ରାଜାର ଆତ୍ମସମର୍ପଣ ପରେ ତାଙ୍କୁ ଏକ ଅଜ୍ଞାତ ସ୍ଥାନରେ ରଖାଯାଇ ପୁଲିସ୍‌ ପଚରାଉଚରା କରୁଛି।

ଶେଷ ଥର ପାଇଁ ନିହାରିକାଙ୍କ ସହ କିଶୋର କୁଆଡ଼େ ଯାଇଥିଲେ ? ହତ୍ୟାକାଣ୍ଡ ସହ ତାଙ୍କର କ’ଣ ସମ୍ପର୍କ ରହିଛି ? ହତ୍ୟାକାଣ୍ଡରେ ସେ ଜଣେ ନା ଆଉ କାହାର ସମ୍ପୃକ୍ତ ରହିଛି ? ଏମିତି କିଛି ପ୍ରଶ୍ନକୁ ନେଇ ପୁଲିସ୍‌ ଖୋଳତାଡ଼ କରୁଛି।

ଗତକାଲି କଟକ ସହର ଠାରୁ କିଛି କି.ମି. ଦୂରରେ ଥିବା ଏକ ସରକାରୀ ବଙ୍ଗଳାରେ ରାଜାକୁ ଜେରା କରାଯାଇଥିବା ସୂଚନା ମିଳିଛି।

ଗତ ୮ ତାରିଖରୁ ନର୍ସ ନିହାରିକା ନିଖୋଜ ଥିଲେ। ଏହାର କିଛି ଦିନ ପରେ ରହସ୍ୟଜନକ ଭାବେ ବିଲୁଆଖାଇ ନଦୀ ପଠାରୁ ତାଙ୍କ ମୃତଦେହ ମିଳିଥିଲା। ହାତଗୋଡ଼ ବନ୍ଧା ଅବସ୍ଥାରେ ଏକ ବସ୍ତାରୁ ପୁଲିସ୍‌ ମୃତଦେହ ଉଦ୍ଧାର କରିଥିଲା।

ନିହାରିକା ଚାକିରି କରୁଥିବା କଟକର ଏକ ନର୍ସିଂହୋମ୍‌ରୁ ରାଜା ସହ ଗତ ୮ ତାରିଖରେ କେଉଁଆଡେ ଯାଇଥିଲେ ତାହା ଜଣାପଡ଼ିନାହିଁ। ତା’ପରଠୁ ରାଜା ନିଖୋଜ ହୋଇ ଯାଇଥିଲେ। ଗତକାଲି ସେ ପୁଲିସ୍‌ ନିକଟରେ ଆତ୍ମସମର୍ପଣ କରିଛନ୍ତି।

ଅନ୍ୟପକ୍ଷରେ ରାଜା ହିଁ ହତ୍ୟାକାରୀ ବୋଲି ଦର୍ଶାଇ ତାକୁ ଫାଶୀ ଦଣ୍ଡ ଦେବାକୁ ନିହାରିକାଙ୍କ ବାପାମା’ ଦାବି କରିଛନ୍ତି। ଆଉ ମାମଲାରେ ବଳିଷ୍ଠ ପ୍ରମାଣ ଯୋଗାଡ଼ ଲାଗି ସେମାନଙ୍କର ଡିଏନ୍ଏ ଟେଷ୍ଟ ପାଇଁ ରକ୍ତ ନମୁନା ସଂଗ୍ରହ କରାଯାଇଛି। 

You might also like