ନର୍ସ ନିହାରିକା ହତ୍ୟା ମାମଲା: ଜେଲ୍‌ ଗଲା ରାଜା

କଟକ: ନର୍ସ ନିହାରିକା ପାତ୍ର ହତ୍ୟା ମାମଲାରେ ଅଭିଯୁକ୍ତ ରାଜାକୁ ପୁଲିସ୍‌ ଜେଲ୍‌କୁ ପଠାଇଛି। ଗତକାଲି ଜଗତସିଂହପୁର ଏସଡିଜେଏମ୍ କୋର୍ଟରେ ହାଜର ପରେ ତାକୁ ଆଳି ପିଙ୍ଗଳ ଜେଲ୍‌କୁ ପଠାଇ ଦିଆଯାଇଛି। ଏହାପୂର୍ବରୁ ଡାକ୍ତରଖାନାରେ ତାର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା।

ନିହାରିକାଙ୍କ ବୟଫ୍ରେଣ୍ଡ ରାଜା ଓରଫ୍ କିଶୋର ଅଞ୍ଚଳ ଗିରଫ ହେବା ପରେ ହତ୍ୟା ମାମଲା ଉପରୁ ଜଗତସିଂହପୁର ପୁଲିସ୍ ପରଦା ଉଠାଇଥିଲା।

ଏନେଇ ଗତକାଲି ସାମ୍ବାଦିକ ସମ୍ମିଳନୀରେ ଜଗତସିଂହପୁର ଏସ୍‌ପି ଆର. ପ୍ରକାଶ ସୂଚନା ଦେଇ କହିଥିଲେ, ‘ରାଜାକୁ ବିବାହ କରିବାକୁ ନିହାରିକା ଅମଙ୍ଗ ଥିଲେ। କାରଣ ନିହାରିକା ଏକ ପ୍ରାଇଭେଟ୍‌ ନର୍ସିଂହୋମ୍‌ରେ ନର୍ସ ଚାକିରି କରୁଥିବା ବେଳେ ରାଜା ବେକାର ଥିଲା। ଏଣୁ ନିହାରିକା ବିବାହ କରିବାକୁ ମନା କରିବାରୁ ଏଥିରେ କ୍ଷୁବ୍ଧ ହୋଇ ରାଜା ନିହାରିକାଙ୍କୁ ସବୁଦିନ ପାଇଁ ଶେଷ କରିଦେବାକୁ ପ୍ଲାନ୍‌ କରିଥିଲା। ଯୋଜନା ମୁତାବକ ଗତ ୮ ତାରିଖ ୪ଟା ୫୦ ମିନିଟ୍‌ରେ ରାଜା, ନିହାରିକାଙ୍କୁ ଫୋନ୍‌ କରି ନର୍ସିଂହୋମ୍ ବାହାରକୁ ଆସିବାକୁ କହିଥିଲା। ନିହାରିକା ଆସିବା ପରେ ତାଙ୍କୁ ମୋଟରସାଇକେଲରେ ବସାଇକ କଟକ ଚାଉଳିଆଗଞ୍ଜ ସ୍ଥିତ ନିଜର ଜଣେ ସାଙ୍ଗର ଏକ ଭଡ଼ା ଘରକୁ ନେଇ ଆସିଥିଲା। ପରେ ରାତି ୭ଟାରୁ ୮ଟା ଭିତରେ ରାଜା, ନିହାରିକାଙ୍କୁ ତଣ୍ଟିଚିପି ହତ୍ୟା କରି ତାଙ୍କ ମୃତଦେହକୁ ଏକ ଅଖାରେ ପୂରାଇ ରଖିଥିଲା।  ଆଉ ରାତିରେ ସାଙ୍ଗ ସହ ମିଶି ମୋଟର ସାଇକେଲରେ କେନାଲବନ୍ଧ ରାସ୍ତା ଦେଇ ବିରିଡ଼ି ଅଭିମୁଖେ ଯାଇଥିଲା। ଆଉ ସେଠି ମୃତଦେହକୁ ବିଲୁଆଖାଇ ନଈପଠାରେ ଫିଙ୍ଗିଦେଇ ଫେରି ଆସିଥିଲା। ହତ୍ୟା ନେଇ ରାଜା ବିରୋଧରେ ପ୍ରମାଣ ରହିଛି। ସିସିଟିଭି ଭିଜୁଆଲ୍, ଫୋନ୍‌ କଲ, ଫୋରେନସିକ୍ ଯାଞ୍ଚ ଓ ଅଭିଯୁକ୍ତର ସ୍ୱୀକାରୋକ୍ତିରୁ ରାଜା ହିଁ ହତ୍ୟାକାରୀ।”

ଏହି ଘଟଣା ପରେ ରାଜା ଫେରାର ଥିଲା।

ସୂଚନାଯୋଗ୍ୟ, ନିହାରିକା ୮ ତାରିଖରୁ ନିଖୋଜ ଥିବା ନେଇ ତାଙ୍କ ପରିବାର ଲୋକେ ୯ ତାରିଖରେ ମଧୁପାଟଣା ଥାନାରେ ଏତଲା ଦେଇଥିଲେ। ୧୭ ତାରିଖରେ ବିଲୁଆ ଖାଇ ନଦୀରୁ ତାଙ୍କ ଗଳିତ ମୃତଦେହ ବିରିଡ଼ି ଥାନା ପୁଲିସ ଜବତ କରିଥିଲା। ଏହା ଜଣାପଡ଼ିବା ପରେ ଏହି ଘଟଣା ସାରା ରାଜ୍ୟରେ ଚହଳ ପକାଇ ଥିଲା।

You might also like