ଅସ୍ତରଙ୍ଗ ଓ କୋଣାର୍କ ଉପକୂଳରେ ବଢିଛି ଅଲିଭ ରିଡଲେଙ୍କ ଅଣ୍ଡାଦାନ

ଫନି ମାଡ଼ର ବର୍ଷକ ପରେ ସୁଧୁରିଛି ସ୍ଥିତି, କଇଁଛଙ୍କ ସୁରକ୍ଷା ଲାଗି ସୌରଚାଳିତ ଉପକରଣ ଲଗାଇବାକୁ ଯୋଜନା

  • ଅସ୍ତରଙ୍ଗ ଓ କୋଣାର୍କ ଉପକୂଳରେ ବଢ଼ିଛି କଇଁଛଙ୍କ ଅଣ୍ଡାଦାନ
  • ଚଳିତ ବର୍ଷ ୧ ଲକ୍ଷ ଅଣ୍ଡା ସଂଗୃହୀତ, ୯ ହଜାର ଛୁଆ ଛଡ଼ାଗଲା 

ଅସ୍ତରଙ୍ଗ  ସାମୁଦ୍ରିକ ବାତ୍ୟା ଫୋନି ଲାଗି ପୁରୀ ସମୁଦ୍ର ଉପକୂଳରେ ସାମୁଦ୍ରିକ କଇଁଛଙ୍କ ପ୍ରଜନନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥିଲା । ଗତବର୍ଷ କରୋନା ସ୍ଥିତି ଯୋଗୁଁ ଉପକୂଳରେ କଇଁଛଙ୍କ ଅଣ୍ଡା ସଂଗ୍ରହ ବନ୍ଦ ରହିବାରୁ ହଜାର ସଂଖ୍ୟା ଅଣ୍ଡା ନଷ୍ଟ ହୋଇଯାଇଥିଲା । ତେବେ ଚଳିତ ବର୍ଷ ସ୍ଥିତିରେ ସାମାନ୍ୟ ପରିବର୍ତ୍ତନ ଆସିଛି । ୧ ଲକ୍ଷରୁ ଅଧିକ ଅଣ୍ଡା ସଂଗୃହୀତ ହୋଇଥିବାବେଳେ ୯ ହଜାର କଇଁଛ ଶାବକ ସମୁଦ୍ରରେ ଛଡାଯାଇଛି । ନିସିଦ୍ଧାଞ୍ଚଳରେ କଟକଣା ସତ୍ୱେ ଏବେବି ଅନେକ କଇଁଛଙ୍କ ମୃତ୍ୟୁ ହେଉଥିବା ଅଭିଯୋଗ ହେଉଛି । ତେଣୁ ଏଥିପାଇଁ କଇଁଛଙ୍କୁ ସୁରକ୍ଷା ଦେବାକୁ ଦାବି ହୋଇଛି ।

ପୁରୀ ଜିଲ୍ଲାର ଅସ୍ତରଙ୍ଗ, କୋଣାର୍କ ଉପକୂଳରେ ହଜାର ହଜାର ସଂଖ୍ୟାରେ କଇଁଛ ଅଣ୍ଡାଦାନ କରିବାକୁ ଆସିଥାନ୍ତି । ଏହାକୁ ଦେଖି ଚଳିତ ବର୍ଷ ୬ଟି ଅସ୍ଥାୟୀ ପ୍ରଜନନ କେନ୍ଦ୍ର କରାଯାଇଛି । ଏହାସହ ପ୍ରତିବର୍ଷ ନଭେମ୍ବର ପହିଲାରୁ ମେ ପହିଲା ପର୍ଯ୍ୟନ୍ତ ସମୁଦ୍ରରେ କଟକଣା ଜାରି କରାଯାଇଥାଏ । ସମୁଦ୍ର ମଧ୍ୟରେ ଟ୍ରଲର ଚଳାଚଳ ଉପରେ କଟକଣା ରହିଥାଏ। କଇଁଛ ସୁରକ୍ଷା ଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଅଣ୍ଡାଦାନ ଅହେତୁକ ମାତ୍ରାରେ ହ୍ରାସ ପାଉଛି ।  ଚଳିତ ଋତୁରେ ମାତ୍ର ୩ଟି ଟ୍ରଲରକୁ ବନବିଭାଗ ଜବତ କରିଛି । କଇଁଛ ସୁରକ୍ଷାରେ ଅବହେଳା ପ୍ରଦର୍ଶନ କରାଯାଉଥିବା ନେଇ ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।

୨୦୧୮-୧୯ ବର୍ଷରେ ବନବିଭାଗ ପକ୍ଷରୁ ମୋଟ ୬୭୯ଟି ବସାରୁ ୬୨ ହଜାର ୮୦୨ଟି ଅଣ୍ଡା ସଂଗ୍ରହ ହୋଇଥିଲା । ଏପ୍ରିଲ ଶେଷ ସୁଦ୍ଧା ୭୭୫ ଶାବକଙ୍କୁ ସମୁଦ୍ରରେ ଛଡା ଯାଇଥିଲା। ଫୋନି ସାମୁଦ୍ରିକ ଝଡ଼ ଯୋଗୁଁ ଅସ୍ଥାୟୀ ପ୍ରଜନନ କେନ୍ଦ୍ରରେ ଥିବା ବାକି ଅଣ୍ଡାରୁ ଅଧିକାଂଶ ନଷ୍ଟ ହୋଇଯାଇଥିଲା  ।୨୦୧୯-୨୦ ବର୍ଷରେ ୫୨୧ ବସାରୁ ସଂଗୃହୀତ ୫୦ ହଜାର ୧୫୬ ଅଣ୍ଡାରୁ ୮ ହଜାର ୪୩୪ଟି ଶାବକଙ୍କୁ ସମୁଦ୍ରରେ ଛଡା ଯାଇଥିଲା । କରୋନା ସ୍ଥିତିରେ ବନ କର୍ମଚାରୀ ଅଣ୍ଡା ସଂଗ୍ରହ ବନ୍ଦ କରିଦେବାରୁ ହଜାର ହଜାର ସଂଖ୍ୟାରେ ଅଣ୍ଡା ନଷ୍ଟ ହୋଇଯାଇଥିଲା ।

ତେବେ ଚଳିତ ବର୍ଷ ଦେବୀ ମୁହାଁଣ ସ୍ଥିତ ନାସି, ଜାହାନିଆଁ, ଦାଳୁଅକଣି, ଚନ୍ଦ୍ରଭାଗା, ବାଲୁଖଣ୍ଡ, ଅରକୁଦ ଆଦି ଅସ୍ଥାୟୀ କେନ୍ଦ୍ରରେ ହଜାରେ ୮ଟି ବସାରୁ ୧ଲକ୍ଷରୁ ଅଧିକ ଅଣ୍ଡା ସଂଗୃହୀତ ହୋଇଛି ।  ଏ ଭିତରୁ ୯ ହଜାର ୫୦ଟି ଶାବକଙ୍କୁ ସମୁଦ୍ରରେ ଛଡାଯାଇଛି ଏହାସତ୍ୱେ ମଧ୍ୟ କଇଁଛଙ୍କ ମୃତ୍ୟୁ ହାର ବନ୍ଦ ହୋଇନି । ନିସିଦ୍ଧାଂଚଳରେ ଟ୍ରଲର ପ୍ରବେଶ ରୋକିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ । କଇଁଛଙ୍କ ସୁରକ୍ଷା ଲାଗି ଉପକୂଳରେ ନିସିଦ୍ଧାଂଚଳ ଚିହ୍ନଟ ପାଇଁ ୧ କୋଟି ଟଙ୍କା ଖର୍ଚ୍ଚରେ ସୌର ବ୍ୟାଟେରୀ ଚାଳିତ ଉପକରଣ ଲଗାଯିବ ବୋଲି କହିଛନ୍ତି ମତ୍ସ୍ୟ ଅଧିକାରୀ ।

 

 

 

You might also like