୨୪ ଘଣ୍ଟାରେ ୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଗୁରୁବାର ବିଳମ୍ବିତ ରାତିରେ ରାଜ୍ୟରେ ୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଗତ ୨୪ ଘଣ୍ଟାରେ ୬ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା୪୮ରେ ପହଞ୍ଚିଥିବାବେଳେ ସେଥିମଧ୍ୟରୁ ବର୍ତ୍ତମାନ ୪୫ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।

ଗତକାଲି ପରୀକ୍ଷା ହୋଇଥିବା ୪୦୮ ନମୁନା ମଧ୍ୟରୁ ୬ଟି ପଜିଟିଭ୍ ଆସିଛି । ୪୦୨ ନମୁନା ନେଗେଟିଭ୍ ଆସିଛି। ଦିନବେଳା ୨ଟି ନମୁନା ପଜିଟିଭ ନେଇ ସୂଚନା ଦିଆଯାଇଥିବାବେଳେ ବିଳମ୍ବିତ ରାତ୍ରୀରେ ଅନ୍ୟ ୪ ନମୁନା ପଜିଟିଭ ଥିବା ଜଣାପଡିଥିଲା । ଏ ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଦିନବେଳା ୨ ନୂଆ କରୋନା ଆକ୍ରାନ୍ତଙ୍କ ବିଷୟରେ ସୂଚନା ଦେଇଥିଲେ ରାଜ୍ୟ ସରକାର। ଢେଙ୍କାନାଳର ଜଣେ ୫୧ ବର୍ଷୀୟା ମହିଳା ଓ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ପଶ୍ଚିମବଙ୍ଗର ଜଣେ ୭୦ ବର୍ଷର ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଘରୋଇ ହସ୍ପିଟାଲରୁ ଚିହ୍ନଟ ହୋଇଥିବା ରୋଗୀଙ୍କ ସମ୍ପର୍କରେ ତଥ୍ୟ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ସଂପୃକ୍ତ ବ୍ୟକ୍ତି ଜଣକ ଗତ ୭ ତାରିଖରେ ମେଦିନାପୁରରୁ ଘରୋଇ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର ଆସିଥିଲେ । ୮ ତାରିଖ ସକାଳେ ସେ ଉକ୍ତ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ତାଙ୍କୁ ଆଇସୋଲେସେନରେ ରଖାଯାଇଥିଲା । ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ କିମ୍ସ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ସେହିଭଳି ଢେଙ୍କାନାଳରୁ ଚିହ୍ନଟ କରୋନା ରୋଗୀଙ୍କ ସହ ଦିଲ୍ଲୀ ନିଜାମୁଦ୍ଦିନ ଲିଙ୍କ ମିଳିଛି । ସେ ବାହାରକୁ ଯାଇନଥିଲେ । ହେଲେ ନିଜାମୁଦ୍ଦିନରୁ ଫେରିଥିବା ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ । ଏହାପରେ ମାର୍ଚ୍ଚ ୧୮ରୁ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ସେ ତାଙ୍କ ଘରେ ରହିଥିଲେ । ଏପ୍ରିଲ ୩ ତାରିଖରେ ତାଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଥିଲା । ତାଙ୍କଠାରେ ଲକ୍ଷଣ ଜଣାପଡ଼ିନଥିଲେ ବି ତାଙ୍କୁ ସର୍ଭିଲାନ୍ସରେ ରଖାଯାଇଥିଲା । ୮ ତାରିଖରେ ତାଙ୍କ ସାମ୍ପୁଲ ଟେଷ୍ଟ ପରେ ସେ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଥିଲା। ଏହାପରେ ତାଙ୍କୁ କଟକର ଅଶ୍ୱିନୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା॥

You might also like