ଗଣମାଧ୍ୟମ ପ୍ରତିନିଧିଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କଲା ଏନ୍‌ୟୁଜେ

ନୂଆଦିଲ୍ଲୀ: ଓଡ଼ିଶାରେ ଗଣମାଧ୍ୟମ ପ୍ରତିନିଧିଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ନ୍ୟାସନାଲ ୟୁନିଅନ ଅଫ୍ ଜର୍ଣ୍ଣାଲିଷ୍ଟସ୍- NUJର ଉଦବେଗ। ଓଟିଭି ସାମ୍ବାଦିକ ରମେଶ ରଥଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ଏନ୍‌ୟୁଜେ ଦୃଢ଼ ନିନ୍ଦା କରିଛି।

ଏନ୍‌ୟୁଜେର ସଭାପତି ରାସ ବିହାରୀ ଏବଂ ମହାସଚିବ ପ୍ରସନ୍ନ ମହାନ୍ତି ଏକ ମିଳିତ ପ୍ରେସ ବିବୃତ୍ତିରେ କହିଛନ୍ତି ଯେ, ଗଣମାଧ୍ୟମ ପ୍ରତି ଏହା ରାଜ୍ୟ ସରକାରଙ୍କ ଅସହିଷ୍ଣୁତା। ସେମାନଙ୍କ ଚାପର ବଶବର୍ତ୍ତୀ ହେଉନଥିବାରୁ ସରକାର ଏଭଳି ଅସହିଷ୍ଣୁତା ପ୍ରଦର୍ଶନ କରିଛନ୍ତି।

ପୋଲିସ କୌଣିସ ପରିଚୟପତ୍ର ନଦେଖାଇ କିମ୍ବା କୌଣସି ଓ୍ୱାରେଣ୍ଟ ନଥାଇ ତାଙ୍କୁ ବେଆଇନ ଓ ଜବରଦସ୍ତି ଉଠାଇ ନେଇଥିଲା। ତେଣୁ ପୋଲିସର ଏ କାର୍ଯ୍ୟାନୁଷ୍ଠାନ ସମ୍ବିଧାନ ପ୍ରଦତ୍ତ ବାକ୍ ସ୍ୱାଧୀନତା ଭଳି ମୌଳିକ ଅଧିକାରର ବିରୁଦ୍ଧାଚରଣ କରୁଛି।

ଏପରିକି ଗଣମାଧ୍ୟମର ସ୍ୱର ଚାପିବାକୁ ରାଜ୍ୟ ସରକାର ପୋଲିସ ଓ ଅନ୍ୟ ସଂସ୍ଥାର ଦୁରୂପଯୋଗ କରୁଛନ୍ତି। ଏଭଳି ଆକ୍ରୋଶମୂଳକ କାର୍ଯ୍ୟରୁ ବିରତ ରହି ସରକାର ସାମ୍ବାଦିକଙ୍କୁ ସେମାନଙ୍କ କାମ କରିବାକୁ ଦିଅନ୍ତୁ ବୋଲି ସଂଘ ଦାବି କରିଛି।

You might also like