ସରକାରୀ ସହାୟତାକୁ ବି ଚଳୁ କରିଦେଲେ
ସରକାର ଓ ବିସ୍ଥାପିତଙ୍କ ମଝିରେ ଟଙ୍କା ଖାଇଗଲେ ଦଲାଲ
ନୂଆପଡା: ଡ୍ୟାମ୍ ପାଇଁ ଲୋକେ ନିଜ ଜମିବାଡି ସବୁ ଦେଇଦେଲେ। ସରକାର ସହାୟତା ଅର୍ଥ ବି ମଂଜୁର କଲେ। ହେଲେ ସରକାର ଓ ବିସ୍ଥାପିତଙ୍କ ମଝିରେ ଟଙ୍କା ଖାଇଗଲେ ଦଲାଲ। ଏବେ ବି ପ୍ରକୃତ ବିସ୍ଥାପିତ ସହାୟତା ଅପେକ୍ଷାରେ ଥିବା ବେଳେ ମାଲାମାଲ ଦଲାଲ ନୂଆପଡା ଜିଲ୍ଲା ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପର ବୁଡି ଅଂଚଳ ପେଣ୍ଡରାବନ ଗାଁ ଲୋକେ।
ଝରଣା ପୋଡ ନୂଆପଡା ଜିଲ୍ଲା ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଅଂଚଳ ପେଣ୍ଡରାବନ ଗାଁର ଆଂଶିକ କ୍ଷତିଗ୍ରସ୍ତ। ଝରଣାଙ୍କର ୨ ଏକର ଜମି ଥିଲା, ହେଲେ ତାହା ଡ୍ୟାମରେ ବୁଡି ଗଲା। ସରକାର ୧୬ ଲକ୍ଷ ଟଙ୍କା ସହାୟତା ମଂଜୁର କଲେ। ପ୍ରଥମ କିସ୍ତିରେ ୮ ଲକ୍ଷ ଟଙ୍କା ମଂଜୁର ହେଲା। ହେଲେ ଝରଣା ବ୍ୟାଙ୍କରୁ ଟଙ୍କା ଉଠାଇବା ପୂର୍ବରୁ ଦଲାଲ ଟଙ୍କା ନେଇଗଲେ। ଟଙ୍କା ଫେରିପାଇବାକୁ ପ୍ରଶାସନ ଓ ପୋଲିସ ପାଖକୁ ବାରମ୍ବାର ଦୌଡିଛନ୍ତି , ହେଲେ ଏଯାଏ ଟଙ୍କା ମିଳିନି।
#ସରକାରୀ_ଟଙ୍କା_ବି_ଖାଇଗଲେ
ସରକାର ଓ ବିସ୍ଥାପିତଙ୍କ ମଝିରେ ଟଙ୍କା ଖାଇଗଲେ ଦଲାଲ#Odisha @DM_Nuapada pic.twitter.com/oxNVsg7dpV— ଓଟିଭି (@otvkhabar) December 24, 2020
ଝରଣାଙ୍କ ଭଳି ଅନେକ ବିସ୍ଥାପିତ ଅଛନ୍ତି ଯେଉଁମାନେ ଜମି ହରାଇ ଟଙ୍କାଟିଏ ବି ପାଇ ନାହାଁନ୍ତି। ଏହାରି ଭିତରେ ଗାଁ ଲୋକ ଅଭିଯୋଗ କରିଛନ୍ତି ଯେ, ଗାଁର ୧୨୨ ଜଣଙ୍କ ନାଁ ବିଭାଗକୁ ପଠା ଯାଇଛି, ଯାହା କି ପୁରା ଜାଲ୍ ତେଣୁ ସେହି ତାଲିକାକୁ ବାତିଲ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ।
ସରକାରୀ କ୍ଷତିପୂରଣକୁ ବାଟବଣା କଲା କିଏ ?
ଲୋୟର ଇନ୍ଦ୍ର ଡ୍ୟାମ୍ ପ୍ରକଳ୍ପ ପାଇଁ ଜମି ହରାଙ୍କୁ ମିଳିନି ଟଙ୍କା
ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିଛନ୍ତି ଦଲାଲ ?
ଜିଲ୍ଲାପାଳ କହିଲେ ଅନୁଧ୍ୟାନ ପରେ ହେବ କାର୍ଯ୍ୟାନୁଷ୍ଠାନ
ନୂଆପଡା ଜିଲ୍ଲା ତିଖାଲି ଗାଁ ପାଖ ଇନ୍ଦ୍ର ନଦୀରେ ୨୦ ବର୍ଷ ତଳେ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇ ଥିଲା। ପ୍ରକଳ୍ପରେ ମୋଟ ୩୧ ଖଣ୍ଡ ଗାଁ ପ୍ରଭାବିତ ହେଲା। ୧୦ଟି ଗାଁ ସଂପୂର୍ଣ୍ଣ ଏବଂ ୨୧ଟି ଗାଁ ଆଂଶିକ ବୁଡିଲା। ଏଥିରେ ୪ହଜାର ୮୬୫ ଜଣ ଲୋକ ପ୍ରଭାବିତ ହୋଇଥିଲେ। ହେଲେ ପ୍ରକୃତ ବିସ୍ଥାପିତ ଜମି ହରାଇ ମଧ୍ୟ ଏଯାଏ ସହାୟତା ରାଶି ପାଇନାହାଁନ୍ତି। ସେପଟେ, ଜିଲ୍ଲାପାଳ କହିଛନ୍ତି, ଅନୁଧ୍ୟାନ କରାଯାଇ ତାଲିକା ସରକାରଙ୍କୁ ପଠା ଯାଇଛି ଜାଲ୍ ହୋଇଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଗୋଟିଏ ପଟେ ଦଲାଲ ମାଲାମାଲ ହେଉଛନ୍ତି ଅନ୍ୟପଟେ ସବୁ ହରାଇ ଏବେବି ସରକାରୀ ସହାୟତାକୁ ଅପେକ୍ଷା କରିଛି ବିସ୍ଥାପିତ।