ଜରାଜୀର୍ଣ୍ଣ ଅବସ୍ଥାରେ ନୂଆପଡ଼ା ଜିଲ୍ଲା ସଂଗ୍ରହାଳୟ

ନୂଆପଡ଼ା: ଅବହେଳିତ ଅବସ୍ଥାରେ ନୂଆପଡ଼ା ଜିଲ୍ଲା ସଂଗ୍ରହାଳୟ। ନୂଆପଡ଼ାର ପ୍ରାଚୀନ ସଭ୍ୟତା ମାରାଗୁଡ଼ାକୁ ଲୋକଲୋଚନକୁ ଆଣିବା ପାଇଁ ଏହି ସଂଗ୍ରହାଳୟ ଖୋଲାଯାଇଥିଲା। ହେଲେ କର୍ମଚାରୀ ନଥିବାରୁ ଅନେକ ସମୟରେ ଏହି ସଂଗ୍ରହାଳୟଟି ବନ୍ଦ ରହିଥିବା ବେଳେ ପର୍ଯ୍ୟଟକ ନିରାଶ ହୋଇ ଫେରୁଛନ୍ତି।

ଇତିହାସର ମୂକସାକ୍ଷୀ ମାରାଗୁଡ଼ା ସଭ୍ୟତା। ନୂଆପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରୁ ଖନନ ବେଳେ ଏହି ସଭ୍ୟତା ସହିତ ଜଡ଼ିତ ଅନେକ ମୂଲ୍ୟବାନ ପଥର ମୂର୍ତ୍ତି, ସୁନା ଟଙ୍କା, ଘରକରଣା ସାମଗ୍ରୀ ମିଳିଥିଲା।

ମାରାଗୁଡ଼ା ସଭ୍ୟତାର ସଂସ୍କୃତି, ପରମ୍ପରା ଆଦିକୁ ଲୋକଲୋଚନକୁ ଆଣିବା ପାଇଁ ଏହି ସବୁ ସାମଗ୍ରୀକୁ ନେଇ ଖୋଲା ହୋଇଥିଲା ଜିଲ୍ଲା ସଂଗ୍ରହାଳୟ। ଯାହା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି। ନା ଏହାର କୌଣସି ରକ୍ଷଣାବେକ୍ଷଣ କରାଯାଉଛି ନା ମାରାଗୁଡ଼ା ସଭ୍ୟତାର ବିଶେଷତ୍ୱ ଜଣାଇବା ପାଇଁ ସଂଗ୍ରହାଳୟରେ କୌଣସି କର୍ମଚାରୀ ଅଛନ୍ତି। ଫଳରେ ଅନେକ ସମୟରେ ସଂଗ୍ରହାଳୟଟି ବନ୍ଦ ରହିଥିବା ବେଳେ କେବେ କେମିତି ଆସୁଥିବା ପର୍ଯ୍ୟଟକମାନେ କିଛି ବୁଝି ନ ପାରି ନିରାଶ ହୋଇ ଫେରୁଛନ୍ତି।

ଜିଲ୍ଲା ପାଠାଗାରର ଲାଇବ୍ରେରିଆନ୍ ଏବେ ଜିଲ୍ଲା ସଂଗ୍ରହାଳୟର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଅଛନ୍ତି। ଖୋଲିବା ଦିନଠୁ ହିଁ ନା ସଂଗ୍ରହାଳୟର ବିକାଶ ହୋଇଛି, ନା କୌଣସି ପଦକ୍ଷେପ ନିଆଯାଇଛି। ଅନ୍ୟପଟେ,ସଂଗ୍ରହାଳୟର ବିକାଶ ପାଇଁ ରାଜ୍ୟ ସରକାରଙ୍କୁ ଜଣାଇଥିବା ଜିଲ୍ଲା ସଂସ୍କୃତି ଅଧିକାରୀ କହିଛନ୍ତି।

ସଂସ୍କୃତି ବିଭାଗର ଉଦାସୀନତା ଯୋଗୁ ଆଜି ଜିଲ୍ଲା ସଂଗ୍ରହାଳୟ ଅବହେଳିତ ହୋଇପଡ଼ିଛି। ଏଭଳି ପରିସ୍ଥିତିରେ ସଂଗ୍ରହାଳୟର ପ୍ରଚାର ପ୍ରସାର ନେଇ ସରକାର ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

You might also like