ଟେନସନ୍‌ ଦେଲାଣି ନୂଆପଡ଼ା, ହୁ ହୁ ହୋଇ ଏଠାରେ ବଢୁଛି ସଂକ୍ରମଣ

କରୋନା ଦେଉଛି ଟେନସନ

ନୂଆପଡ଼ା: ନୂଆପଡ଼ାରେ ଦିନକରେ ଚିହ୍ନଟ ହୋଇଛନ୍ତି ୭୧ କରୋନା ପଜିଟିଭ। ନୂଆପଡ଼ା ଛତିଶଗଡ଼ ସୀମାକୁ ଲାଗିଥିବାରୁ ସେଠାରେ ଅଧିକ ସଂକ୍ରମଣ ବ୍ୟାପୁଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି। ସେ ସୂଚନା ଦେଇ କହିଛନ୍ତି, ନୂଆପଡ଼ା ପ୍ରଶାସନ ଏହି ନୂଆ ଷ୍ଟ୍ରେନର ସମୀକ୍ଷା କରୁଛି। ଟିକା ନେବା ପରେ କେତେ ଲୋକ ସଂକ୍ରମିତ ହେଉଛନ୍ତି, ତାର ଏକ ସର୍ଭେ କରାଯାଉଥିବା ମଧ୍ୟ ସେ ସୂଚନା ଦେଇଛନ୍ତି। ରାଜ୍ୟର ଗତକାଲି ଗୋଟିଏ ଦିନରେ ୨ ଲକ୍ଷ ୫୨ ହଜାର ଟିକା ପ୍ରଦାନ କରାଯାଇଛି। ଯେତିକି ଟିକା ଅଛି, ତାହା ଆଉ ମାତ୍ର ୪ ଦିନ ଯିବ। ତେଣୁ କେନ୍ଦ୍ରକୁ ଅଧିକ ଟିକା ଦେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଚିଠି ଲେଖା ଯାଇଛି। ଏ ଯାଏ ରାଜ୍ୟରେ ୨୮ ଲକ୍ଷ ୬୬ ହଜାରରୁ ଅଧିକ ଲୋକଙ୍କୁ ଟିକା ଦିଆଗଲାଣି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି। ଏବେ ଲକଡାଉନ ସ୍ଥିତି ନାହିଁ, ସବୁ ଜିଲ୍ଲାରେ କୋଭିଡ ହସ୍ପିଟାଲକୁ ପ୍ରସ୍ତୁତ ରଖିବାକୁ ଚିଠି ଲେଖାଯାଇଥିବା ସେ ସୂଚନା ଦେଇଛନ୍ତି।

ସେପଟେ ରାଜ୍ୟରେ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ସଂକ୍ରମଣ। ଆଉ ଏହାକୁ ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ ଓ ରାଜ୍ୟ ସରକାର। ସେପଟେ, କରୋନାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ। ସେ କହିଛନ୍ତି ଯେ, ଫେରନ୍ତାଙ୍କ ଉପରେ ନଜର ରଖାଯାଇଛି।  ଓଡ଼ିଶାର ସ୍ଥିତି ଭଲ ଅଛି; ସରକାର କରୋନା ଉପରେ ତୀକ୍ଷଣ ନଜର ରଖିଛନ୍ତି। ସବୁ ହସ୍ପିଟାଲକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ  ଦିଆଯାଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ଏହାସହ ସେ କହିଛନ୍ତି ଯେ, ଅକ୍ସିଜେନ୍, ବେଡ୍, ମେଡିସିନ୍, ଭେଣ୍ଟିଲେଟର ମହଜୁଦ ରଖିବାକୁ କୁହାଯାଇଛି। ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକର ଜିଲ୍ଲାପାଳମାନଙ୍କୁ ସଜାଗ ପାଇଁ କୁହାଯାଇଛି। ଯେଉଁମାନେ ଆସିବେ ସ୍କ୍ରିନିଂ କରାଯାଇ ଆଣ୍ଟିଜେନ୍ ଟେଷ୍ଟ ପାଇଁ କୁହାଯାଇଛି ବୋଲି ଶ୍ରୀ ଦାସ କହିଛନ୍ତି। ଏହାସହ ଅଟୋ ଚାଳକ, ମାଂସ ବିକାଳୀ, ହୋଟେଲ୍ କର୍ମଚାରୀଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦିଆଯିବାକୁ ନିଷ୍ପତ୍ତି ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି।

ଓଡ଼ିଶାରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ରାଜ୍ୟରେ ୪୦୦ରୁ ଅଧିକ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ମଧ୍ୟ ୪୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କରୋନା ସଂକ୍ରମଣ ବୃଦ୍ଧି ପରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ପୌରାଞ୍ଚଳର ୨ଟି ସ୍ଥାନକୁ ମାଇକ୍ରୋ କଣ୍ଟେନ୍‌ମେଣ୍ଟ୍‌ ଜୋନ୍ ଓ କଳାହାଣ୍ଡି ଜିଲ୍ଲାର ଗୋଟିଏ ଗାଁକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍ ଘୋଷଣା କରାଯାଇଛି।

You might also like