ବିପଦରେ ନୂଅାପଡ଼ା ପଣ୍ଡରାବନସ୍ଥିତ ବ୍ରିଜ

ନୂଅାପଡ଼ା: ନୂଅାପଡ଼ା ଜିଲ୍ଲା ଦେଇ ଯାଇଥିବା ରାୟପୁର- ଗୋପାଳପୁର ୩୫୩ ଜାତୀୟ ରାଜପଥର କିଛି ସ୍ଥାନ ବିପଦପୂର୍ଣ୍ଣ ରହିଛି। ରାସ୍ତାର ପେଣ୍ଡରାବନ ସ୍ଥିତ ବ୍ରିଜ୍‌ର ଦୁଇପାର୍ଶ୍ୱରୁ ମାଟି ଧସିବା ଯୋଗୁଁ ଏବେ ବ୍ରିଜ୍‌ ଭାଙ୍ଗିବାର ଆଶଙ୍କା ଦେଖାଦେଇଛି। ଲୋୟର ଇନ୍ଦ୍ର ପ୍ରକଳ୍ପର ପାଣିକୁ ଅଟକ ରଖିବାରୁ ବ୍ରିଜ ନିକଟକୁ ପାଣି ମାଡ଼ି ଅାସିଥିଲା। ଫଳରେ ରାସ୍ତାର ଦୁଇ ପାର୍ଶ୍ୱରୁ ଅତଡ଼ା ଖସି ଏବେ ବ୍ରିଜ୍‌ ପ୍ରତି ବିପଦ ରହିଛି ବୋଲି ଅଭିଯୋଗ ହୋଇଛି। ଦୈନିକ ଏହି ରାସ୍ତାରେ ଶହ ଶହ ଭାରିଯାନ ଯାତାୟତ କରୁଥିବାରୁ କେଉଁ ମୁହୁର୍ତ୍ତରେ ଏହା ଭାଙ୍ଗିଯିବ ସେନେଇ ଦେଖାଦେଇଛି ସନ୍ଦେହ।

ମୁଖ୍ୟତଃ ଲୋୟର ଇନ୍ଦ୍ର ପ୍ରକଳ୍ପରେ ନିର୍ଦ୍ଦାରିତ ଉଚ୍ଚତାରେ ପାଣି ଅଟକ ରଖାଯାଉଥିବାରୁ ଏହି ସମସ୍ୟା ଦେଖାଦେଉଛି। ତେବେ ଗେଟ୍‌ ଖୋଲିବାପରେ ଏହାର ମରାମତି କରାଯାଉ ବୋଲି ସ୍ଥାନୀୟ ସରପଞ୍ଚ ଦାବି କରିଛନ୍ତି। ସେପଟେ ଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ଲୋୟର ଇନ୍ଦ୍ର ପ୍ରକଳ୍ପର ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ସୁନୀଳ କୁମାର ନାୟକ କହିଛନ୍ତି। ବ୍ରିଜ୍‌ ଦୁଇ ପାଖର ଅାବଶ୍ୟକ ମରାମତି ନ କାରାଗଲେ ଅାଗାମୀ ଦିନରେ ବ୍ରିଜ୍‌ ଭାଙ୍ଗିବା ସହ ଜିଲ୍ଲାକୁ ଯୋଗାଯୋଗ ବିଛିନ୍ନ ହେବାର ସମ୍ଭାବନା ରହିଛି।

You might also like