• translate
Satyendu Shekher Mishra

ନବରଙ୍ଗପୁର: ମନରେଗା ଯୋଜନାରେ ମହାଦୁର୍ନୀତି । ପୋଖରୀ ଖୋଳା ନାଁରେ ବଡ଼ ଚଞ୍ଚକତା । ହଡ଼ପ ହୋଇଛି ଲକ୍ଷାଧିକ ଟଙ୍କା । ଏଭଳି ସାଂଘାତିକ ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲାର ବନ ଅଧିକାରୀଙ୍କ ବିରୋଧରେ । ଡାବୁଗାଁ ବନାଞ୍ଚଳ ଅଧୀନ ବଡ଼ପାଞ୍ଜିରିଗୁଡ଼ା ଗାଁ ନିକଟରେ ପୋଖରୀ ଖୋଳାଯାଇଥିବା କାଗଜପତ୍ରରେ ଦେଖାଇ ଆତ୍ମସାତ୍ ହୋଇଛି ଲକ୍ଷାଧିକ ଟଙ୍କା । ଶ୍ରମିକଙ୍କ ନାଁରେ ଉଠିଛି ଟଙ୍କା, ହେଲେ ନା ପୋଖରୀ ଅଛି ନା ଶ୍ରମିକଙ୍କୁ ମିଳିଛି ଟଙ୍କା ।

ମନରେଗା ଯୋଜନା ୱେବ୍‌ସାଇଟ୍‌ରେ ତଥ୍ୟ କହୁଛି, ନବରଙ୍ଗପୁର ଜିଲ୍ଲା ହାତୀବେଡ଼ା ପଞ୍ଚାୟତର ବଡ଼ପାଞ୍ଜିରିଗୁଡ଼ା ଗାଁ ନିକଟରେ ବନ ବିଭାଗ ପକ୍ଷରୁ ଖୋଳାଯାଇଛି ପୋଖରୀ । କିନ୍ତୁ ଏଠାରେ ପୋଖରୀ ଖୋଳାର ନାଁ ଗନ୍ଧ ନାହିଁ । କେବଳ ଜେସିବି ମେସିନ୍‌ରେ ଚାରିପଟ ଚିହ୍ନ ଦିଆଯାଇଛି । କିନ୍ତୁ ସରକାରୀ କାଗଜପତ୍ରରେ ପୋଖରୀ ଖନନ ଦର୍ଶାଇ ହରିଲୁଟ୍ ହୋଇଛି ଲକ୍ଷାଧିକ ଟଙ୍କା । ତଥ୍ୟ ଅନୁସାରେ, ୨୦୨୦-୨୧ ମସିହାରେ ଏକ ପୋଖରୀ ଖନନ ପାଇଁ ୯ ଲକ୍ଷ ୨୪ ହଜାର ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା । ଅକ୍ଟୋବର ୧୨ ତାରିଖରୁ କାର୍ଯ୍ୟ ଆରମ୍ଭ ହୋଇ ଶ୍ରମିକଙ୍କୁ ୧ ଲକ୍ଷ ୬ ହଜାର ୮୧୨ ଟଙ୍କା ଦିଆଯାଇଛି । ହେଲେ ଶ୍ରମିକଙ୍କୁ ଏନେଇ ପଚାରିବାରୁ ସେମାନେ ପୋଖରୀ ଖୋଳା ବିଷୟରେ ଜାଣିନାହାନ୍ତି ଏବଂ ଦିନେ ବି କାମକୁ ଯାଇନଥିବା ସିଧା ସିଧା କହିଛନ୍ତି । ଏଠି ପ୍ରଶ୍ନ ଉଠୁଛି ଯେ, ଶ୍ରମିକ କାମ କରିନଥିବା ବେଳେ ତାଙ୍କ ନାଁରେ ଲକ୍ଷାଧିକ ସରକାରୀ ଅର୍ଥ ଉଠିଲା କେମିତି ? ସେହିପରି ବଡ଼ପାଞ୍ଜିରିଗୁଡ଼ା ଗାଁରେ ଅନ୍ୟ ଏକ ନାଳ ଖନନ କାର୍ଯ୍ୟ କରିଥିବା ଶ୍ରମିକମାନେ ଅଧା ଟଙ୍କା ଏପର୍ଯ୍ୟନ୍ତ ପାଇନଥିବା ଅଭିଯୋଗ କରିଛନ୍ତି ।

ସେପଟେ ବନ ବିଭାଗ ଅଧିକାରୀଙ୍କ ବିରୋଧରେ ଆସିଥିବା ଟଙ୍କା ଆତ୍ମସାତ୍ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ଡିଏଫ୍ଓ । ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସପ୍ତାହକ ଭିତରେ ତଦନ୍ତ ହୋଇ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଡିଏଫ୍ଓ ।

Other Stories