ଭୁବନେଶ୍ୱର: ଏଣିକି ମହଙ୍ଗା ପଡ଼ିବ ରଙ୍ଗ୍ ୱେରେ ଗାଡ଼ି ଚାଳନା। ଯଦି ରଙ୍ଗ୍ ୱେରେ ଗାଡ଼ି ଚଳାଉଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ। କାରଣ ଆପଣଙ୍କୁ ଏବେ ଏଥିପାଇଁ ଦେବାକୁ ପଡ଼ିପାରେ ମୋଟା ଅଙ୍କର ଫାଇନ୍।
ରଙ୍ଗ୍ ୱେ ଓ ଫୁଟ୍ଫାଥ୍ରେ ଡ୍ରାଇଭିଂ ରୋକିବାକୁ ଭୁବନେଶ୍ୱର କମିଶନରେଟ ପୁଲିସ୍ ଏକ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଛି। ସଚେତନତା ସାଙ୍ଗକୁ ଫାଇନ୍ ସମାନ୍ତରାଳ ଭାବେ କରାଯିବ। ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଦୁଇଟି ସ୍ଥାନରେ ଏହି ଡ୍ରାଇଭ ଆରମ୍ଭ ହୋଇଛି। ରଙ୍ଗ୍ ୱେରେ ଗାଡ଼ି ଚଳାଇବା ଅଭ୍ୟାସ ଥିବା ବ୍ୟକ୍ତିଙ୍କୁ ଫାଇନ୍ କରାଯାଇଛି। ଟ୍ରାଫିକ୍ ଗହଳିରୁ ବର୍ତ୍ତିବା ପାଇଁ ଫୁଟ୍ଫାଥ୍ ଉପରେ ଗାଡ଼ି ଚଳାଉଥିବା ବ୍ୟକ୍ତି ବି ପୁଲିସ୍ ହାତରେ ଧରାପଡ଼ିଛନ୍ତି।
କେବଳ ଏହି ଦୁଇଟି ସ୍ଥାନ ନୁହେଁ ଏଣିକି ସହରର ଅଧିକାଂଶ ଛକରେ ଟ୍ରାଫିକ୍ ପୁଲିସ୍ ରଙ୍ଗ୍ ୱେରେ ଗାଡ଼ି ଚଳାଉଥିବା ବ୍ୟକ୍ତିଙ୍କୁ ସାବାଡ଼ କରିବ। ପ୍ରାୟ ଏକ ମାସ ବ୍ୟାପି ଏହି ରଙ୍ଗ୍ ୱେ ଡ୍ରାଇଭ ସହରରେ କଡ଼ାକଡ଼ି ପାଳନ କରାଯିବ ବୋଲି ପୁଲିସ୍ କମିଶନର କହିଛନ୍ତି।