ସୁରତରେ କରୋନା ସଂକ୍ରମଣ ବୃଦ୍ଧି ଓ ନାଇଟ୍ କର୍ଫ୍ୟୁ ଜାରି ପରେ ପୁଣି ଗଞ୍ଜାମ ମୁହାଁ ପ୍ରବାସୀ

ଖଲ୍ଲିକୋଟ: ପୁଣି ଗଞ୍ଜାମ ମୁହାଁ ସୁରତରେ ରହୁଥିବା ପ୍ରବାସୀ ଶ୍ରମିକ। ଗୁଜୁରାଟର ସୁରତରେ ନାଇଟ୍ କର୍ଫ୍ୟୁ ଜାରି ଓ ବଢ଼ୁଥିବା ସଂକ୍ରମଣ ପରେ ଏବେ ଘରକୁ ଫେରୁଛନ୍ତି ବହୁ ଶ୍ରମିକ। ଗତ କିଛି ଦିନ ଧରି ସୁରତରେ ରହୁଥିବା ପ୍ରବାସୀ ଶ୍ରମିକ ଗଞ୍ଜାମ ଫେରୁଥିବା ଦେଖିବାକୁ ମିଳିଛି। କରୋନା ସଂକ୍ରମଣ ବଢ଼ୁଥିବାରୁ ଭୟଭୀତ ହୋଇ ପ୍ରବାସୀ ଶ୍ରମିକମାନେ ନିଜ ଭିଟାମାଟିକୁ ଫେରି ଆସିଥିଲେ। ତେବେ ଏହି ଶ୍ରମିକମାନଙ୍କୁ ରାଜ୍ୟରେ କାମ ନ ମିଳିବାରୁ ପୁଣିଥରେ ସୁରତ ଫେରି ଯାଇଥିଲେ l ହେଲେ ବର୍ତ୍ତମାନ ସେଠାରେ ନାଇଟ୍ କର୍ଫ୍ୟୁ ଓ କରୋନା ସଂକ୍ରମଣ ବଢ଼ୁଥିବାରୁ ଭୟଭୀତ ହୋଇ ନିଜ ଭିଟାମାଟିକୁ ସେମାନେ ଫେରୁଥିବା ନଜର ଆସିଛି।

ପୁଣିଥରେ ଭିଟାମାଟିକୁ ଫେରିବା ନେଇ ଜଣେ ସୁରତ ଫେରନ୍ତା କହିଛନ୍ତି, ‘ସୁରତରେ ବହୁତ ଭୟଭୀତ ଲାଗୁଛି। ଗତ ୬ ମାସ ପୂର୍ବେ ଆମେ ସୁରତ ଯାଇଥିଲୁ। ବର୍ତ୍ତମାନ ପୁଣିଥରେ ଆମେ ଓଡ଼ିଶାକୁ ଫେରିଛୁ।’

ଅନ୍ୟପକ୍ଷେ, ଗଞ୍ଜାମ ଜିଲ୍ଲାରେ ଏବେ ଦଣ୍ଡ ଯାତ୍ରା, ତାରାତାରିଣୀଙ୍କ ଚୈତ୍ର ପର୍ବ ଥିବାରୁ ବି ବହୁ ସଂଖ୍ୟାରେ ଲୋକେ ଜିଲ୍ଲାକୁ ଆସୁଛନ୍ତି। ସେପଟେ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ପ୍ରବାସୀଙ୍କ ଫେରିବା ଆହୁରି ଚିନ୍ତା ବଢ଼ାଇଛି। ବାହାର ରାଜ୍ୟରୁ ଫେରୁଥିବା ସମସ୍ତ ପ୍ରବାସୀଙ୍କ RTPCR ଟେଷ୍ଟ ବାଧ୍ୟତାମୂଳକ ସହ ସେମାନଙ୍କୁ ୭ ଦିନ ହୋମ୍ କ୍ୱାରେଣ୍ଟିନ୍‌ରେ ରହିବା ନିୟମକୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ାକଡ଼ି କରାଯାଇଛି। ଏହାସହ ବ୍ରହ୍ମପୁର ରେଲ୍‌ୱେ ଷ୍ଟେସନ୍‌ରେ ଯାତ୍ରୀଙ୍କ ଥର୍ମାଲ୍ ସ୍କ୍ରିନିଂ କରାଯାଉଛି।

You might also like