ବିଜେପି ଫୋକସ୍‌ରେ ଓଡ଼ିଶା ଓ ବେଙ୍ଗଲ

ଭୁବନେଶ୍ୱର: ହିନ୍ଦୀ ହାର୍ଟଲ୍ୟାଣ୍ଡରେ ପରାଜୟ ସତ୍ତ୍ୱେ ୧୯ ନିର୍ବାଚନରେ ପୂର୍ବ ଭାରତରେ ଭଲ ପ୍ରଦର୍ଶନ ନେଇ ବେଶ୍ ଆଶାବାଦୀ ବିଜେପି। ଓଡ଼ିଶା ଓ ପଶ୍ଚିମବଙ୍ଗରେ ପୂର୍ବ ଅପେକ୍ଷା ସ୍ଥିତି ଦୃଢ଼ ହେଉଛି ଓ ଦଳ ଏଠାରୁ ଅଧିକ ସିଟ୍ ପାଇବ ବୋଲି ଆଶା ପ୍ରକାଶ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା। ଏହାକୁ ବଳ ଦେବା ଲାଗି ଆସନ୍ତା ୨୪ରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

ମୁମ୍ବାଇରେ ଅନୁଷ୍ଠିତ ରିପବ୍ଳିକ୍ ସମିଟ୍‌ରେ ଓଡ଼ିଶା ସମେତ ପୂର୍ବ ଭାରତରେ ବିଜେପି ଆଗୁଆ ରହିବ ବୋଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ମନ୍ତବ୍ୟ ଦେଇଥିଲେ। ଏବେ ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି।

ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବିଜେପିର ପରାଜୟ ପରେ ଓଡ଼ିଶା, ପଶ୍ଚିମବଙ୍ଗ ଓ ପୂର୍ବାଞ୍ଚଳ ଉପରେ ଦଳର ଅଧିକ ଫୋକସ୍। ଏ ସବୁ ରାଜ୍ୟରେ ବିଜେପି ଆଗକୁ ବଢ଼ୁଥିବାରୁ ଅଧିକରୁ ଅଧିକ ସିଟ୍ ହାସଲ ପାଇଁ ଦଳ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛି।

ପ୍ରଧାନମନ୍ତ୍ରୀ ମୋଦି ଓ ଶାହା ଘନଘନ ଓଡ଼ିଶା ଗସ୍ତ ବି କରୁଛନ୍ତି। ଆସନ୍ତା ୨୪ ତାରିଖରେ ପୁଣି ଓଡ଼ିଶା ଆସିବେ ମୋଦି। ଏଥିପାଇଁ ସମାବେଶ ସ୍ଥଳ ବରୁଣେଇ ପାହାଡ଼ ପାଦଦେଶରୁ ଭୁବନେଶ୍ୱର ଯାଏ ପୋଷ୍ଟର୍, ବ୍ୟାନର୍ ସବୁ ଛାଇଗଲାଣି।

କୁହାଯାଉଛି ହିନ୍ଦୀ ହାର୍ଟଲ୍ୟାଣ୍ଡରେ ଯଦି ଲୋକସଭା ନିର୍ବାଚନରେ ଦଳ ଘାଟା ଖାଏ, ତାହାଲେ ପୂର୍ବ ଭାରତରୁ ତାକୁ ଭରଣା କରିବାକୁ ଯୋଜନା କରାଯାଉଛି।

ଉତ୍ତର-ପୂର୍ବାଞ୍ଚଳ, ପଶ୍ଚିମବଙ୍ଗ ଓ ଓଡ଼ିଶାରେ ୮୮ଟି ଲୋକସଭା ସିଟ୍ ଥିବାରୁ ଦଳ ଏହି କସରତକୁ ଜୋରଦାର କରୁଥିବା କୁହାଯାଉଛି। ବିଜେପି କହିଛି, ମୋଦିଙ୍କ ଗସ୍ତ ବେଳେ ବିକାଶ ହିଁ ମୁଖ୍ୟ ପ୍ରସଙ୍ଗ ହେବ।

ଅନ୍ୟପଟେ ୫ ରାଜ୍ୟର ବିଧାନସଭା ନିର୍ବାଚନ ପରେ ରାଜ୍ୟ କଂଗ୍ରେସ ମଧ୍ୟ ବେଶ୍ ଉତ୍ସାହିତ।  କଂଗ୍ରେସ ସଭାପତି ରାହୁଲ ଗାନ୍ଧି ବି ଶୀଘ୍ର ଓଡ଼ିଶା ଆସିବେ ବୋଲି ଦଳ ଘୋଷଣା କରିସାରିଛି। ଏପଟେ ବିଜେଡି ମଧ୍ୟ ତୃଣମୂଳରେ ସଙ୍ଗଠନକୁ ଆହୁରି ମଜଭୁତ୍ କରିବାକୁ ଉଦ୍ୟମ କରୁଛି।

ନିର୍ବାଚନ ପରେ ହିଁ ଓଡ଼ିଶାରେ ବିଜେପି କେତେ ଫାଇଦାରେ ରହିବ ଜଣାପଡ଼ିବ ବୋଲି ବିଜେଡି କହିଛି।  ସେହିଭଳି କଂଗ୍ରେସ କହିଛି, ମୋଦି ଓ ନବୀନଙ୍କ ପ୍ରଭାବ ନାହିଁ, ଉଭୟ ଦଳ କେବଳ ବାହାସ୍ଫୋଟ ମାରୁଛନ୍ତି।

ସାଧାରଣ ନିର୍ବାଚନ ପାଇଁ ଅଳ୍ପ ଦିନ ଥିବାରୁ ବିଜେପି, ବିଜେଡି ଓ କଂଗ୍ରେସର ରାଜୈନତିକ ଗତିବିଧି ତୀବ୍ର ହେଉଛି। ଏହାରି ଭିତରେ ପଶ୍ଚିମବଙ୍ଗରେ ବିଜେପି ରଥଯାତ୍ରାକୁ ଆଜି ଗ୍ରୀନ୍ ସିଗ୍ନାଲ୍ ଦେଇଛନ୍ତି କଲିକତା ହାଇକୋର୍ଟ।

You might also like