ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ବବ୍‌ଲୁ ଆହତ

ବଲାଙ୍ଗିର: ପୁଲିସ୍ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ। ବଲାଙ୍ଗିର ଜିଲ୍ଲାରେ ଆତଙ୍କ ଖେଳାଇଥିବା ଦୁର୍ଦ୍ଦାନ୍ତ ଅପରାଧୀ ବବ୍‌ଲୁ ମହାନନ୍ଦକୁ ପୁଲିସ୍ ଗତକାଲି ସନ୍ଧ୍ୟାରେ ଏନ୍‌କାଉଣ୍ଟର କରିଛି। ବଲାଙ୍ଗିର-ଟିଟିଲାଗଡ଼ ରାସ୍ତାର ସଇଁତଲା ନିକଟରେ ଟିଟିଲାଗଡ଼ ଓ ସଇଁତଲା ପୁଲିସ୍ ମିଶି ବବ୍‌ଲୁକୁ ଏନ୍‌କାଉଣ୍ଟର କରିଥିଲେ।

ଏନ୍‌କାଉଣ୍ଟରରେ ବବ୍‌ଲୁର ଡାହାଣ ଗୋଡ଼ରେ ଗୁଳି ବାଜିଥିବା ଜଣାପଡ଼ିଛି। ତାକୁ ପ୍ରଥମେ ସଇଁତଲା ଡାକ୍ତରଖାନା ଓ ପରେ ବଲାଙ୍ଗିର ହସ୍ପିଟାଲକୁ ଅଣାଯାଇଥିଲା। ତେବେ ଅଧିକ ଚିକିତ୍ସା ପାଇଁ ତାକୁ ବୁର୍ଲା ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି।
ବବ୍‌ଲୁ ଏକ ବାଇକ୍‌ରେ ଟିଟିଲାଗଡ଼ରୁ ସଇଁତଲାକୁ ଯାଉଥିବା ନେଇ ପୁଲିସ୍ ଖବର ପାଇଥିଲା।

ଏହାପରେ ପୁଲିସ୍‌ର ଏକ ଟିମ୍ ବବ୍‌ଲୁକୁ ପିଛା କରୁଥିବା ବେଳେ ବଡ଼ମାଳ ଜଙ୍ଗଲ ନିକଟରେ ସେ ଦେଶୀ ପିସ୍ତଲରେ ପୁଲିସ୍‌ ଉପରକୁ ଗୁଳି ଚଳାଇଥିଲା। ଫଳରେ ପୁଲିସ୍‌ର ପାଲଟା ଗୁଳିରେ ବବ୍‌ଲୁ ଆହତ ହୋଇ ତଳେ ପଡ଼ିଯାଇଥିଲା। ତା’ପରେ ପୁଲିସ୍ ତାକୁ କାବୁ କରିଥିଲା।

ବବ୍‌ଲୁ ନାଁରେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଥାନାରେ ଅନେକ ଅପରାଧିକ ମାମଲା ରହିଛି। ଗତ କିଛି ଦିନ ତଳେ ସଇଁତଲା ଅଞ୍ଚଳରେ ବ୍ୟବସାୟୀଙ୍କଠୁ ୩ ଲକ୍ଷ ଟଙ୍କା ଲୁଟ୍ ଘଟଣାରେ ବବ୍‌ଲୁ ସଂପୃକ୍ତ ଥିବା ଜଣାପଡ଼ିଛି।

You might also like