ଭୁବନେଶ୍ୱର: ଗତକାଲି ରାତି ୧୧ଟାରେ ଲୋକପ୍ରିୟ ଓଡ଼ିଆ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ପରଲୋକ ହୋଇଛି।ଭୁବନେଶ୍ୱର ସ୍ଥିତ ସମ୍ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। କରୋନାରୁ ଭଲ ହୋଇଥିଲେ ବି କୋଭିଡ୍ ପରବର୍ତ୍ତୀ ଜଟିଳତାର ଶିକାର ହୋଇଥିଲେ ତପୁ। ଫଳରେ ତାଙ୍କୁ ଭୁବନେଶ୍ୱରର ସମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କରୋନା ଯୋଗୁ ତାଙ୍କର ଫୁସଫୁସ୍ ପାଖାପାଖି ୫୦ ପ୍ରତିଶତ ନଷ୍ଟ ହୋଇଥିଲା। ତେଣୁ ତାଙ୍କୁ ୧୦୦ ପ୍ରତିଶତ ଭେଣ୍ଟିଲେଟରରେ ରଖାଯାଇଥିଲା।

ଆଧୁନିକ ଓଡ଼ିଆ ସଂଗୀତ ଜଗତରେ ଜଣାଶୁଣା ଥିଲେ ତପୁ ମିଶ୍ର। ଦୀର୍ଘ ଦୁଇ ଦଶନ୍ଧି ଧରି ସେ ଓଡ଼ିଆ ଦର୍ଶକ ଓ ଶ୍ରୋତାଙ୍କୁ ଦେଇଥିଲେ ବହୁ ହିଟ୍ ଗୀତ। ଜଣେ ଭର୍ସାଟାଇଲ ଫିମେଲ ପ୍ଲେ- ବ୍ୟାକ୍ ସିଙ୍ଗର ଭାବେ ସେ ଅନେକ ପ୍ରଶଂସା ସାଉଁଟିଥିଲେ। ଯେତେବେଳେ ମୁମ୍ବାଇ ଓ କୋଲକାତାରୁ ସିଙ୍ଗରମାନେ ଆସି ଓଡ଼ିଆ ଗୀତ ଗାଉଥିଲେ, ସେତେବେଳେ ତପୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଥାପିଥିଲେ। ୧୫ ବର୍ଷ ହୋଇଥିବା ବେଳେ ତପୁ ଆରମ୍ଭ କରିଥିଲେ କ୍ୟାରିଅର୍।

କଭର୍‌ ସଙ୍ଗ୍ ହେଉ ଅବା ଷ୍ଟୁଡିଓ ଭର୍ସନ ପ୍ରତିଟି ଗୀତକୁ ସେ ମନ ଦେଇ ଗାଇଥାନ୍ତି। ରଙ୍ଗବତୀ ଗୀତର ଗୁରୁ ପ୍ରଭୁଦତ୍ତ ପ୍ରଧାନ ଓ ଜ୍ଞାନ ରଞ୍ଜନ ମହାପାତ୍ରଙ୍କ ଠାରୁ କ୍ଲାସିକାଲ ଗୀତ ଶିକ୍ଷା କରିଥିଲେ ତପୁ। ଏହାପରେ ବିଶିଷ୍ଟ ଗୀତିକାର, ନିର୍ଦ୍ଦେଶକ ସ୍ୱରୂପ ନାୟକ ତାଙ୍କୁ ଓଲିଉଡ୍‌ରେ ବ୍ରେକ ଦେଇଥିଲେ। ତାଙ୍କ ସହିତ ସେ କୋଲକାତା ଯାଇ ଅନେକ ଡବିଂ କରିଥିଲେ। ଫିଲ୍ମ ‘କୁଳନନ୍ଦନ’ରେ ସେ ପ୍ରଥମ ଗୀତ ଗାଇଥିଲେ। ସେବେଠୁ ତାଙ୍କର କଣ୍ଠଶିଳ୍ପୀ ଜୀବନର ଜୟଯାତ୍ରା ଆଗକୁ ବଢ଼ି ଚାଲିଥିଲା। ଫିଲ୍ମ ‘କୃଷ୍ଣ ସୁଦାମା’, ‘ମାତୃଶକ୍ତି’, ‘ଯେ ପାଞ୍ଚେ ପରମନ୍ଦ’, ‘ଆଇ ଲଭ୍ ୟୁ’ ଓ ‘ଚକୋଲେଟ୍‌’ ଭଳି ଅନେକ ଫିଲ୍ମରେ ସେ ହିଟ୍ ଗୀତ ଗାଇଥିଲେ। ଫିଲ୍ମ ‘ଆଇ ଲଭ୍ ୟୁ’ରେ କଣ୍ଠଦାନ କରି ସେ ଅନେକ ପ୍ରଶଂସା ସାଉଁଟି ଥିଲେ। ଆରେ ନା.. ବଜାନା ବଂଶୀ, ଏହି ଗୀତ ତାଙ୍କୁ ଆଣିଦେଇଥିଲା ପ୍ଲେ-ବ୍ୟାକ୍ ସିଙ୍ଗରର ପ୍ରସିଦ୍ଧି। ସେ ସମ୍ବଲପୁରୀ ଭାଷାରେ ଅନେକ ଗୀତ ଗାଇଥିଲେ। କିଛି ଗୀତରେ ସେ ନିଜେ ନିର୍ଦ୍ଦେଶନା ବି ଦେଇଥିଲେ। ୪ ଥର ସେ ରାଜ୍ୟ ପୁରସ୍କାର ପାଇଥିଲେ।

Other Stories