ଝିଙ୍କ ଗିଳିବାରୁ ନୁହେଁ ବରଂ ଶିକାରୀ ବସାଇଥିବା ଫାସରେ ପଡ଼ି ମହାବଳ ବାଘର ମୃତ୍ୟୁ!

ଭୁବନେଶ୍ୱର: ଶିକାରୀଙ୍କ ହାତରେ ହିଁ ଯାଇଛି ସାତକୋଶିଆରେ ମହାବଳ ବାଘର ଜୀବନ। ଝିଙ୍କ ଗିଳିବାରୁ ନୁହେଁ ବରଂ ଶିକାରୀ ବସାଇଥିବା ଫାସରେ ପଡ଼ି ମହାବଳ ବାଘ ମହାବୀରର ମୃତ୍ୟୁ ହୋଇଛି।

ମହାବଳ ବାଘ ମୃତ୍ୟୁର ତଦନ୍ତ କରୁଥିବା ନ୍ୟାସ୍‌ନାଲ୍‌ ଟାଇଗର୍‌ କନ୍‌ଜର୍‌ଭେସନ୍‌ ଅଥରିଟି(ଏନ୍‌ଟିସିଏ)ର ଫରେଷ୍ଟ ଆଇଜି ଡଃ ଅମିତ୍‌ ମଲ୍ଲିକ ଏବଂ ୱାଇଲ୍ଡ୍‌ ଲାଇଫ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଇଣ୍ଡିଆ(ଡବ୍ଲ୍ୟୁଆଇଆଇ)ର କେ. ରମେଶ ବାଘ ମୃତ୍ୟୁ ଘଟଣାର ତଦନ୍ତ କରି NTCA ଡିଜି ଅନୁପ କୁମାର ନାୟକଙ୍କୁ ଏଭଳି ରିପୋର୍ଟ ପ୍ରଦାନ କରିଛନ୍ତି।

ଯେଉଁଥିରେ ବାଘ ମୃତ୍ୟୁ ପାଇଁ ଅନ୍ୟ କାରଣ ଯଥାକ୍ରମେ ଝିଙ୍କ ଗିଳିବା ଓ ବାଘ ବାଘ ମଧ୍ୟରେ ଲଢ଼େଇ ସନ୍ଦେହକୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରାଯାଇଛି। ବାର୍‌ହା ଶିକାର ପାଇଁ ବସାଇଥିବା ଫାଶ ବା ଜାଲରେ ପଡି ବାଘଟିର ମୃତ୍ୟୁ ହୋଇଥିବା ସେମାନେ ଦର୍ଶାଇଛନ୍ତି। ତା’ସହ ବାଘ ଆକ୍ରମଣରୁ ବର୍ତ୍ତିବାକୁ ସାତକୋଶିଆବାସୀ ଫାଶ ବସାଇ ଥାଇପାରନ୍ତି ବୋଲି ମଧ୍ୟ ସନ୍ଦେହ କରାଯାଉଛି।

ନଭେମ୍ବର ୯ ତାରିଖରେ ବାଘଟି ଫାଶରେ ପଡିଥିଲା ଓ ନଭେମ୍ବର ୧୪ରେ ବାଘଟିର ମୃତଦେହ ଠାବ କରାଯାଇଥିଲା।

ଫାଶରେ ପଡିବା ପରେ ବାଘଟି ସେଥିରୁ ଖସିବାକୁ ବହୁ ଚେଷ୍ଟା କରି ବିଫଳ ହେବା ସହ ବେକରେ ଆଘାତ ଲାଗିବାରୁ ମୃତ୍ୟୁ ହୋଇଥିବା ବିଶେଷଜ୍ଞ ଟିମ୍ ଅନୁମାନ କରିଛନ୍ତି। ମୃତ ମହାବଳ ବାଘର ପୋଷ୍ଟମର୍ଟମ୍‌ ବେଳେ ତା ପେଟରୁ ଝିଙ୍କକାଠି ମିଳିଥିବା ଦର୍ଶାଯାଇଥିଲା। ଏବେ ବିଶେଷଜ୍ଞ ଟିମ୍‌ଙ୍କ ଏଭଳି ରିପୋର୍ଟ ପରେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ପ୍ରତି ଅଡୁଆ ବଢିଛି।

ବାଘ ବଂଶ ବୃଦ୍ଧି ଲକ୍ଷ୍ୟରେ ଗତ ଜୁନ୍‌ ମାସରେ ମଧ୍ୟପ୍ରଦେଶର କାହ୍ନା ଜଙ୍ଗଲରୁ ମହାବଳ ବାଘ ମହାବୀରକୁ ସାତକୋଶିଆ ଅଣାଯାଇଥିଲା

You might also like