ଜଳୁଛି ଜଙ୍ଗଲ: ଶିମିଳିପାଳ ସମେତ ରାଜ୍ୟର ୩୦୦ ଜଙ୍ଗଲରେ ବ୍ୟାପୁଛି ନିଆଁ

ଭୁବନେଶ୍ୱର: ଯେତେ ଲିଭେଇଲେ ବି ଲିଭୁନି ଶିମିଳିପାଳ ନିଆଁ। ଗୋଟିଏ ପଟେ ଥମିଲେ ଅନ୍ୟ ପଟେ ବିଜୁଳି ବେଗରେ ବ୍ୟାପୁଛି। ସପ୍ତାହେରୁ ଅଧିକ ସମୟ ଧରି ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ ଅଭୟାରଣ୍ୟ। ଜଙ୍ଗଲର ଦୁଧିଆଣି, ତାଳବନ୍ଧ, ଗୁରୁଗୁଡ଼ିଆ, କେନ୍ଦୁମୁଣ୍ଡି, ଓ ବରେହିପାଣି ଭଳି ପ୍ରାୟ ୧୦ଟି କୋର୍‌ ଏରିଆରେ ନିଆଁ ଲାଗି ଥିବାରୁ ଏସୁବୁ ସ୍ଥାନକୁ ଅଧିକ ଅଗ୍ନିଶମ ଟିମ୍ ଯାଇଛନ୍ତି। ସେହିପରି ବଫର ଏରିଆରେ ଥିବା ପିଠାବଟା ରେଞ୍ଜ୍ ଖସାଡିହା ଜଙ୍ଗଲରେ ବି ବ୍ୟାପିବାରେ ଲାଗିଛି ନିଆଁ।

ଶିମିଳିପାଳ ଅଭୟାରଣ୍ୟର ନିଆଁ ନିୟନ୍ତ୍ରଣରେ ଅଛି ଏବଂ ସ୍ଥିତି ଗୁରୁତ୍ୱର ନୁହେଁ ବୋଲି ଦୁଇ ଦିନ ଧରି ଗ୍ରାଉଣ୍ଡରେ ସ୍ଥିତି ଅନୁଧ୍ୟାନ କରୁଥିବା ଓ୍ୱାଇଲ୍ଡ ଲାଇଫ୍ ପିସିସିଏଫ୍ ଶଶୀ ପଲ୍‌ କହିଛନ୍ତି।

କେବଳ ଶିମିଳିପାଳ ଅଭୟାରଣ୍ୟ ନୁହେଁ, ନୀଳଗିରି ସ୍ଥିତ କୁଳଡିହା ସଂରକ୍ଷିତ ଅଭୟାରଣ୍ୟରେ ମଧ୍ୟ ନିଆଁ ଲାଗିଛି। ନଣ୍ଡିଆ ପର୍ବତ ଶିଖରରୁ ଆରମ୍ଭ ହୋଇଥିବା ନିଆଁ ଏବେ ବହୁ ଅଞ୍ଚଳରେ ବ୍ୟାପି ଗଲାଣି। ଏଥିଯୋଗୁ ଅଭୟରଣ୍ୟରେ ଥିବା ହରିଣ, ହାତୀ, ଭାଲୁ, ଶମ୍ବର ଓ ଅନ୍ୟ ବନ୍ୟଜନ୍ତୁଙ୍କ ପ୍ରତି ବିପଦ ଆଶଙ୍କା ରହିଛି। ଜଙ୍ଗଲ ନିକଟରେ ଥିବା ୨୦ରୁ ଅଧିକ ଗାଁରେ ଲୋକମାନେ ମଧ୍ୟ ଭୟଭୀତ ହୋଇପଡିଛନ୍ତି। ନିଆଁକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ କୁଳଡିହା ବନ କର୍ମଚାରୀ, ସବୁଜ ବାହିନୀ, ଦମକଳ ବାହିନୀ ସହ ଗାଁ ଲୋକମାନେ ଉଦ୍ୟମ କରୁଛନ୍ତି।

ସେହିପରି ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟରେ ଲାଗିଥିବା ନିଆଁକୁ ଆୟତ୍ତ ଲାଗି ଉଦ୍ୟମ ଜାରି ରହିଛି। ୬୦ରୁ ଅଧିକ ବନ ବିଭାଗ କର୍ମଚାରୀ ଓ ଗାଁ ଲୋକେ ନିଆଁ ଲିଭାଇବାରେ ଲାଗିଛନ୍ତି। ବ୍ଲୋଅର ମାଧ୍ୟମରେ ନିଆଁ ଲିଭା ଚାଲିଛି। ପ୍ରଥମେ ଶୁଖିଲା ପତ୍ରକୁ ଅଲଗା କରାଯାଇ ନିଆଁ ଲିଭା ଯାଉଛି। ଏହାସହ ଚଳିତ ବର୍ଷ ଜଙ୍ଗଲ ନିଆଁ ଭଳି ଘଟଣା ଏଡ଼ାଇବା ଲାଗି ଅଭୟାରଣ୍ୟର ୩ଟି ରେଞ୍ଜରେ ୬୦ ଜଣ ଫାୟାର ଓ୍ୱାଚ୍‌ମ୍ୟାନ୍‌, ୩୦ ଜଣ ଦିନ ମଜୁରିଆ, ସ୍ଥାନୀୟ ବାସିନ୍ଦା, ୧୬ ଜଣ ଫରେଷ୍ଟ ଗାର୍ଡ, ୮ ଜଣ ଫରେଷ୍ଟର, ୩ ଜଣ ରେଞ୍ଜର ଓ ଡିଏଫ୍ଓଙ୍କୁ ନେଇ କମିଟି ଗଠନ କରାଯାଇଛି। ଏହାସହ ଫାୟାର କଣ୍ଟ୍ରୋଲ ରୁମ୍ ମଧ୍ୟ କରାଯାଇଛି। ନିଆଁ ଲାଗିବା ନେଇ କଣ୍ଟ୍ରୋଲ ରୁମ୍‌କୁ ଖବର ଆସିବା କ୍ଷଣି ତତ୍‌କ୍ଷଣାତ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା ଯାଉଛି।

ବାଲେଶ୍ୱର ଜିଲ୍ଲା ନୀଳଗିରି-ଉଦଳା ରାସ୍ତାରେ ଥିବା ତିନିକୋଶିଆ ଜଙ୍ଗଲ ଓ ଭୁବନେଶ୍ୱର ଖଣ୍ଡଗିରି ପାହାଡ଼ରେ ଥିବା ଜଙ୍ଗଲରେ ନିଆଁ ଲାଗିଥିବା ନେଇ ଗତକାଲି ଖବର ସାମ୍ନାକୁ ଆସିଥିଲା।

ତିନିକୋଶିଆ ଜଙ୍ଗଲରେ ନିଆଁ ଲାଗିଯିବା ଫଳରେ ଭାଲୁ ଓ ଅନ୍ୟ ବନ୍ୟଜନ୍ତୁ ଜଙ୍ଗଲରୁ ବାହାରି ଜନବସତି ଆଡ଼କୁ ପଳାଇ ଆସିଥିଲେ। ସେହିପରି ଅପରାହ୍ଣ ୫ଟା ସମୟରେ ଖଣ୍ଡଗିରି ପାହାଡ଼ରେ ଥିବା ଜଙ୍ଗଲରେ ନିଆଁ ଲାଗିଥିଲା। ଏହାପରେ ଧୀରେଧୀରେ ଜଙ୍ଗଲର ୫ ଏକର ଅଞ୍ଚଳକୁ ନିଆଁ ବ୍ୟାପି ଯାଇଥିଲା। 

ଫରେଷ୍ଟ୍‌ ସର୍ଭେ ଅଫ୍‌ ଇଣ୍ଡିଆ(ଏଫ୍‌ଏସ୍‌ଆଇ) ଅନୁସାରେ, କିଛିଦିନ ହେବ ଶିମିଳିପାଳ ସମେତ ଓଡ଼ିଶାରେ ୩୦୦ରୁ ଅଧିକ ଜଙ୍ଗଲରେ ନିଆଁ ଲାଗିଥିବା ସୂଚନା ମିଳିଛି। 

You might also like