NOC ନଥିବା ପବ୍ଲିକ ସ୍କୁଲ୍ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ଚିନ୍ତାରେ ଅଭିଭାବକ, ସ୍କୁଲ କର୍ତ୍ତୃପକ୍ଷ କହିଲେ NOC ପ୍ରଦାନରେ ହୋଇଛି ପକ୍ଷପାତିତା

ଭୁବନେଶ୍ୱର : ଆଶଙ୍କାରେ ଅଭିଭାବକ। ଅନିଶ୍ଚିତତାରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ। ରାଜ୍ୟ ସରକାରଙ୍କ ପକ୍ଷରୁ ନୋ ଅବ୍‌ଜେକ୍ସନ୍ ସାର୍ଟିଫିକେଟ୍ ବା ଏନ୍ଓସି ପାଇଥିବା ପବ୍ଲିକ୍ ସ୍କୁଲ ମାନଙ୍କ ତାଲିକା ପ୍ରକାଶ ପରେ ଏବେ ସ୍ୱୀକୃତି ପାଇନଥିବା ସ୍କୁଲରେ ପିଲାଙ୍କୁ ପଢାଉଥିବା ଅଭିଭାବକମାନେ ଆଶଙ୍କାରେ।

ଜିଲ୍ଲା ଓ୍ୱାରି ତଥ୍ୟ ଥିବା ତାଲିକା ଅନୁସାରେ ସାରା ରାଜ୍ୟରେ ପ୍ରାୟ ୫ ହଜାର ପବ୍ଲିକ ସ୍କୁଲ ରହିଛି। ସେଥିରୁ ୨୭ ଜିଲ୍ଲାରେ ୨୯୧ ଟି ସ୍କୁଲ୍‌କୁ ହିଁ ଏନ୍ଓସି ମିଳିଛି। ସେପଟେ କିନ୍ତୁ ସରକାରଙ୍କ ଏ ତାଲିକାକୁ ଖୋଲାଖୋଲି ଚ୍ୟାଲେଞ୍ଜ କଲେଣି ଅନେକ ସ୍କୁଲ କର୍ତ୍ତୃପକ୍ଷ। କିଏ କହୁଛି ଆମ ପାଖରେ ସାର୍ଟିଫିକେଟ୍ ଅଫ୍ ରେକଗ୍‌ନିସନ୍ ବା ସିଓଆର୍ ଅଛି ତ ଆଉ କିଏ କହୁଛି ସ୍କୁଲ୍ ସବୁ ସର୍ତ୍ତ ପୂରଣ କରଛି। ତେଣୁ ଏନଓସି ପ୍ରଦାନରେ ପକ୍ଷପାତିତା ହୋଇଛି।

ତେଣେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସରକାର ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ। ଏନଓସି ନପାଇ ଚାଲୁଥିବା ସ୍କୁଲ ତୁରନ୍ତ ବନ୍ଦ କରାନଗଲେ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇଛି। ସେପଟେ ଅଭିଭାବକ ମହାସଂଘ ଆଜି ଓପେପା ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଭେଟି ଏନ୍ଓସି ପାଉନଥିବା ସ୍କୁଲ୍ ବିରୋଧରେ ଅପରାଧିକ ମାମଲା ରୁଜୁ କରିବାକୁ ଦାବି କରିଛି।

ବିନା ଏନ୍ଓସିରେ ବର୍ଷ ବର୍ଷ ଧରି ସ୍କୁଲ୍‌ ଗୁଡ଼ିକ ଚାଲୁଥିଲେ ବି ସରକାର ପୂର୍ବରୁ କାହିଁକି ପ୍ରତିବନ୍ଧକ ଲଗାଇଲେ ନାହିଁ। ଏହା ଆହୁରି ବଡ଼ ପ୍ରଶ୍ନ। ଏବେ କଣ ହେବ ଏନ୍ଓସି ପାଇନଥିବା ସ୍କୁଲ୍‌ରେ ପଢୁଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ?

You might also like