ଆଜି ଠାରୁ ଅଠରନଳା ପୋଲ ଉପରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ

ପୁରୀ: ଆଜି ଠାରୁ ଅଠରନଳା ପୋଲ ଉପରେ ଗାଡି ଚଳାଚଳ ବନ୍ଦ ହୋଇଛି। ପ୍ରତ୍ନତତ୍ତ୍ୱ ବିଭାଗ ସୁପାରିଶକ୍ରମେ ଗାଡ଼ି ଚଳାଚଳ ଉପରେ କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ। ଏ ନେଇ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରୀ କରାଯାଇଛି।

ତେଣୁ ଆଜି ଠାରୁ ପୋଲ ଉପରେ ଦୁଇଚକିଆ, ତିନି ଚକିଆ ଯାନ କିମ୍ବା ଅନ୍ୟ କୌଣସି ଯାନବାହାନ ଚଳାଚଳ କରିପାରିବ ନାହିଁ। ଏହା ଉପରେ ସଂପୂର୍ଣ୍ଣ କଟକଣା ଲାଗିଛି। ଗାଡ଼ି ଚଳାଚଳ ବନ୍ଦ ନେଇ ପ୍ରସାଶନ ପକ୍ଷରୁ ଡାକବାଜି ଯନ୍ତ୍ରରେ ଘୋଷଣା କରାଯାଇଥିଲା। ଆସନ୍ତା ୨୪ ତାରିଖ ଠାରୁ ଅର୍ଥାତ୍ ଆଜିଠାରୁ ଅଠରନୋଳା ପୋଲ୍‌ ଯାନବାହାନ ପାଇଁ ବନ୍ଦ ବୋଲି କୁହାଯାଇଥିଲା। ଏ୍ୟତିହ୍ୟ କିର୍ତ୍ତୀରାଜି ସୁରକ୍ଷା ଓ ସଂରକ୍ଷଣ ପାଇଁ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି।

ଅଠରନଳା ପୋଲରେ ଗାଡ଼ି ଚଳାଚଳ ବନ୍ଦ ନେଇ ଆଗରୁ ସୁପାରିଶ କରିଥିଲା ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ। ସେହି ଆଧାରରେ ଅଠରନଳା ଉପରେ ସମସ୍ତ ପ୍ରକାର ଯାନ ବାହନ ଚଳାଚଳକୁ ବ୍ୟାନ କରିଛି ଜିଲ୍ଲା ପ୍ରଶାସନ। ଏହା ସହିତ ଖୁବ ଶୀଘ୍ର ପୋଲର ପୁନରୁଦ୍ଧାର କରାଯାଇ ସୌନ୍ଦର୍ଯ୍ୟକରଣ କାମ ଆରମ୍ଭ ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଗତ କିଛି ଦିନ ତଳେ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଏହି ପୋଲର ସୁରକ୍ଷା ଏବଂ ବିକାଶ କରାଯିବା ପାଇଁ ଚିଠି କରାଯାଇଥିଲା। ଏହି ପୋଲର ସ୍ଥାୟିତ୍ୱ ବୃଦ୍ଧି ପାଇଁ ଏଏସ୍ ଆଇ ପକ୍ଷରୁ ବିଶେଷ ଧ୍ୟାନ ଦିଆଯିବ ବୋଲି ପୁରୀ ପୈରସଂସ୍ଥା ର କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଜୟ ଦାସ କହିଛନ୍ତି।

Atharnala bridge

ମହାପ୍ରଭୁଙ୍କ ନବକଳେବର ପୂର୍ବରୁ ୨୦୧୪ରେ ଐତିହାସିକ ଅଠରନଳା ପୋଲର ନବୀରକରଣ ହୋଇଥିଲା। ପୁଲର ସୈନ୍ଦର୍ଯ୍ୟକରଣ ଏବଂ ପୁନର୍ଗଠନ କାର୍ଯ୍ୟ ଜଳ ସମ୍ପଦ ବିଭାଗର ଡ୍ରେନେଜ୍ ବିଭାଗ ଦ୍ୱାରା କରାଯାଇଥିଲା। ଏଥିପାଇଁ କେନ୍ଦ୍ର ସରକାର ୪.୭୫ କୋଟି ଟଙ୍କା ମଞ୍ଜୁର କରିଥିଲା।

ସୂଚନା ଥାଉକି,  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୯ରେ ପୁରୀ ଜିଲ୍ଲାର ବିକାଶ ପାଇଁ ୨,୩୦୮ କୋଟି ଟଙ୍କାର ବ୍ୟୟ ବରାଦ କରିଥିଲେ। ସେଥିମଧ୍ୟରୁ ଅଠରନଳ ପୋଲର ପୁନର୍ଗଠନ ପ୍ରସ୍ତାବ ମଧ୍ୟ ରହିଥିଲା।

ଇତିହାସ ଉପରେ ନଜର ପକାନ୍ତୁ—

୮୫ ମିଟର ଲମ୍ବ ବିଶିଷ୍ଟ ଏହି ପୋଲଟି ଓଡ଼ିଶାର ଐତିହ୍ୟ ବହନ କରୁଛି। ଜଗନ୍ନାଥ ସଂସ୍କୃତିର ଗବେଷକ ତଥା ଚୂନରା ସେବାୟତ ଶରତ ମାହାନ୍ତିଙ୍କ ସୂଚନା ଅନୁସାରେ, ୯୭୫ରୁ ୯୯୫ ଖ୍ରୀଷ୍ଟବ୍ଦ ମଧ୍ୟରେ ଏହାକୁ ନିର୍ମାଣ କରାଯାଇଥିଲା। ଗଙ୍ଗବଂଶର ରାଜା ମତ୍ସ୍ୟ କେଶରୀ ଏହି ପୋଲକୁ ନିର୍ମାଣ କରିଥିବା କୁହାଯାଏ। ତେବେ ପୋଲଟିକୁ ଅଠରନଳା କୁହାଯାଉଥିବା ବେଳେ ବାସ୍ତବରେ ଏଥିରେ ୧୭ ଗୋଟି ନଳା ରହିଛି ଓ ୧୮ଟି ଖମ୍ବ ରହିଛି। ମାଙ୍କଡ଼ା ଓ ବାଲିପଥରରେ ଏହାକୁ ନିର୍ମାଣ କରାଯାଇଛି। 

ଅଠନରନଳା ହେଉଛି ଶ୍ରୀକ୍ଷେତ୍ରରୁ ପ୍ରବେଶ ପଥ। ମହାନନ୍ଦୀର ଗୋଟେ ଧାର ବହି ଆସିଥିଲା, ଯାହାକୁ ମୂଷା ନଦୀ ବୋଲି କୁହାଯାଏ ଅନ୍ୟପଟେ ରହିଛି ମଙ୍ଗଳାନଦୀ। ଦକ୍ଷିଣରେ ମଙ୍ଗଳା ଓ ଉତ୍ତରରେ ଅଛି ମୂଷା ନଦୀ। ଅଠରନଳା ପୂର୍ବରୁ ଏହି ନଦୀରେ ପ୍ରତିହାରୀ ସେବକମାନେ ଘାଟ ଜଗି ବସୁଥିଲେ। ଯେଉଁ ତୀର୍ଥଯାତ୍ରୀମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିଲେ ସେମାନଙ୍କୁ ଏହି ସେବକମାନେ  ନଦୀ ପାର କରାଉଥିଲେ। କାଳକ୍ରମେ ଏଠାରେ ଅଠରନଳା ପୋଲ ନିର୍ମାଣ କରାଯାଇଥିଲା।

You might also like