ଏଣିକି ରାଜ୍ୟରେ ଶନିବାର ଓ ରବିବାର ଟିକାକରଣ ବନ୍ଦ

  • ଶନି ଓ ରବିବାର ସଟ୍‌ଡାଉନ୍‌ ଥିବାରୁ ଏଣିକି ସପ୍ତାହରେ ୫ ଦିନ ଟିକାକରଣ କରାଯିବ
  • ଶନି ଓ ରବିବାର ଦିନ ଟିକାକରଣ ବନ୍ଦ ରହିବ ଓ ଏହି ସମୟରେ ଟିକାକରଣ କେନ୍ଦ୍ରକୁ ସାନିଟାଇଜ କରାଯିବ
  • ମେ’ ୧ରୁ ଘରୋଇ ହସ୍ପିଟାଲ ଗୁଡିକ କମ୍ପାନୀଠାରୁ ସିଧାସଳଖ ଟିକା ଆଣିବେ
  • କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ, ଟିକାର ଦର ଧାର୍ଯ୍ୟ ହେବ

ଭୁବନେଶ୍ୱର: ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ୫୪ ଲକ୍ଷ ୪୧ ହଜାର ୪୭୮ ଜଣଙ୍କୁ ଟିକାକରଣ କରାଯାଇଛି। ଆଜି ୭ ଶହ କେନ୍ଦ୍ରରେ ଟିକାକରଣ ଚାଲିଛି। ରାଜ୍ୟରେ କୋଭିଡ ସ୍ଥିତି ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଆଜି ଏହି ସୂଚନା ଦେଇଛନ୍ତି। ଶନି ଓ ରବିବାର ସଟ୍‌ଡାଉନ୍‌ ଥିବାରୁ ଏଣିକି ସପ୍ତାହରେ ୫ ଦିନ ଟିକାକରଣ କରାଯିବ। ଶନି ଓ ରବିବାର ଦିନ ଟିକାକରଣ ବନ୍ଦ ରହିବ ଓ ଏହି ସମୟରେ ଟିକାକରଣ କେନ୍ଦ୍ରକୁ ସାନିଟାଇଜ କରାଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି।

ଟିକାକୁ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି, ମେ’ ୧ରୁ ଘରୋଇ ହସ୍ପିଟାଲ ଗୁଡିକ କମ୍ପାନୀଠାରୁ ସିଧାସଳଖ ଟିକା ଆଣିବେ। କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ, ଟିକାର ଦର ଧାର୍ଯ୍ୟ ହେବ। ରେଜିଷ୍ଟ୍ରେସନ ବେଳେ ଆପ୍‌ରେ ଟିକାର ମୂଲ୍ୟ ଦେଖିହେବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି। ଆଜି ସୁଦ୍ଧା ଟିକା ନେଇଥିବା ୫୪ ଲକ୍ଷ ୪୧ ହଜାର ବ୍ୟକ୍ତିଙ୍କ ମଧ୍ୟରୁ ପ୍ରାୟ ୫୦ ଜଣ ବ୍ୟକ୍ତି ଭ୍ୟାକ୍‌ସିନ୍‌ ନେବା ପରେ ସଂକ୍ରମିତ ହୋଇଛନ୍ତି। ତେବେ ଦ୍ୱିତୀୟ ଡୋଜ୍ ପରେ ବିଶେଷ କେହି ସଂକ୍ରମିତ ହୋଇନଥିବା ବିଜୟ ପାଣିଗ୍ରାହୀ କହିଛନ୍ତି।

ସେପଟେ ରାଜ୍ୟରେ ଏବେ ଦୈନିକ ୪୩ରୁ ୪୫ ହଜାର ଟେଷ୍ଟିଂ ହେଉଛି। ଆଗାମୀ ଦିନରେ ୫୦ ହଜାର ଟେଷ୍ଟିଂ କରିବାକୁ ଟାଗେର୍ଟ ରଖାଯାଇଛି। ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି। ରାଜ୍ୟରେ ଏବେ ୧୧ ହଜାରରୁ ଅଧିକ କରୋନା ଆକ୍ରାନ୍ତଙ୍କ ପାଇଁ ବେଡ୍ ରହିଛି। ସେଥିରୁ ୨୭ ଶହ ରୋଗୀ ଚିକିତ୍ସିତ ହେଉଛନ୍ତି। ଏହାସହ ଘରୋଇ ହସ୍ପିଟାଲ୍‌ରେ ୫୦ ପ୍ରତିଶତ ବେଡ୍ ସଂରକ୍ଷଣ କରିବା ଦିଗ ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

ଅନ୍ୟପକ୍ଷେ, ଆସନ୍ତାକାଲି ରାଜ୍ୟର ସବୁ ଜିଲ୍ଲାର ସମସ୍ତ ସହରାଞ୍ଚଳରେ ସପ୍ତାହାନ୍ତ ସଟ୍‌ଡାଉନ୍‌ ଆରମ୍ଭ ହେବ। ଶନିବାର ଓ ରବିବାର ଏହି ସପ୍ତାହାନ୍ତ ସଟ୍‌ଡାଉନ୍ ବେଳେ ସକାଳେ ଘଣ୍ଟାଏ ପାଇଁ କଟକଣା କୋହଳ କରାଯିବ। ଏନେଇ ଆଜି ସ୍ୱତନ୍ତ୍ର ରିଲିଫ କମିଶନର(SRC) ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୬,୨୧୫ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ ୯୫୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ରୁ ୬୮୪ ଓ କଳାହାଣ୍ଡିରୁ ୬୮୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

You might also like