ପ୍ରହସନ ପାଲଟିଛି ନିୟମ, ମୁକୁଳା ପଡ଼ିଛି ସୀମା

ବାଲେଶ୍ୱର ଜିଲ୍ଲାରେ ଅନେକ ସ୍ଥାନରେ ବିନା ବାଧାରେ ପଶ୍ଚିମବଙ୍ଗରୁ ଓଡ଼ିଶା ଆସୁଛନ୍ତି ଲୋକେ

  • ସୀମା ମୁକୁଳା, ଅବାଧରେ ପ୍ରବେଶ କରୁଛନ୍ତି ପ୍ରବାସୀ
  • କଟକଣା ନଥିବାରୁ ବଢୁଛି କରୋନା ସଂକ୍ରମଣ ଭୟ
  • ସ୍ଥିତି ଅନୁଧ୍ୟାନ କରାଯାଉଥିବା କହିଲେ ଏସପି

ବାଲେଶ୍ୱର : ପ୍ରହସନ ପାଲଟିଛି ନିୟମ, ମୁକୁଳା ପଡ଼ିଛି ସୀମା । କୋଭିଡ୍ ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ଓଡ଼ିଶା ସୀମା ସିଲ୍ କରିଛନ୍ତି ସତ, କିନ୍ତୁ ବାଲେଶ୍ୱର ଜିଲ୍ଲାରେ ଅନେକ ସ୍ଥାନରେ ମୁକୁଳା ପଡ଼ିଛି ସୀମା । ଲୋକେ ବିନା ବାଧାରେ ପଶ୍ଚିମବଙ୍ଗରୁ ଓଡ଼ିଶାକୁ ପ୍ରବେଶ କରୁଛନ୍ତି । ବାଲେଶ୍ୱର ଭୋଗରାଇ ବ୍ଲକର ସଗଡ଼ାସାହି, କୁଞ୍ଜବନୀ, ଗ୍ରାମ୍ୟ ରାସ୍ତା ଗୁଡିକରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।

ଲୋକେ ବାଇକ୍ ଓ ସାଇକେଲରେ ବିନା ବାଧାରେ ଓଡ଼ିଶା ସୀମାରେ ପ୍ରବେଶ କରୁଛନ୍ତି । ଯାହା ଫଳରେ ସଂକ୍ରମଣ ଭୟ ବଢିଛି । ରାଜ୍ୟରେ ପ୍ରବେଶ ପୂର୍ବରୁ ସଂପୃକ୍ତ ବ୍ୟକ୍ତିଙ୍କର ସମସ୍ତ ତଥ୍ୟ ନିଆ ଯାଇ ଥର୍ମାଲ ସ୍କ୍ରିନିଂ କରାଯିବା କଥା ମାତ୍ର ଏସବୁ ଅନେକ ସ୍ଥାନରେ ଏସବୁ ନିୟମ ପାଳନ କରାଯାଉନଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ଚେକିଂ ଜୋରଦାର ଚାଲିଛି ଏବଂ ବିଭିନ୍ନ ସ୍ଥାନରେ ସ୍ଥିତି ଅନୁଧ୍ୟାନ କରାଯାଉଥିବା ବାଲେଶ୍ୱର ଏସପି କହିଛନ୍ତି ।

ସେପଟେ ବେଙ୍ଗଲ ଫେରନ୍ତାଙ୍କ ପ୍ରତି ଥିବା ନିୟମରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ନେଗେଟିଭ ରିପୋର୍ଟ, ୨ ଡୋଜ୍ ଟିକା ନେଇଥିଲେ କ୍ୱାରେଣ୍ଟିନ କୋହଳ ହୋଇଛି। ପୂର୍ବ ଘୋଷିତ ୧୪ ଦିନ ପରିବର୍ତ୍ତେ ୭ ଦିନ ପାଇଁ ହୋମ୍ କ୍ୱାରେଣ୍ଟିନରେ ରହିବ। ହୋମ୍ କ୍ୱାରେଣ୍ଟିନ ସୁବିଧା ନଥିଲେ ସରକାରୀ କ୍ୱାରେଣ୍ଟିନରେ ରହିବେ। ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟରୁ ସଂଶୋଧିତ ନିୟମ ଜାରି କରାଯାଇଛି। ରାସ୍ତା, ବିମାନ ସହ ରେଳରେ ଆସୁଥିବା ଯାତ୍ରୀ ବି କ୍ୱାରେଣ୍ଟିନରେ ରହିବେ ବୋଲି କୁହାଯାଇଛି।

ସେହିପରି ରାଜ୍ୟରେ କରୋନା ସଂକ୍ରମଣରେ ବ୍ରେକ୍ ଲଗାଇବା ପାଇଁ ଚାଲିଛି ସପ୍ତାହାନ୍ତ ସଟଡାଉନ୍ । ଆଜି ସଟଡାଉନର ଦ୍ୱିତୀୟ ଦିନ । ଗତକାଲି ଭଳି ଆଜି ମଧ୍ୟ ସଟଡାଉନ୍ କଟକଣା ରହିଛି । ଆସନ୍ତାକାଲି ସକାଳ ୫ଟା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ । ବଢ଼ି ଚାଲିଥିବା ସଂକ୍ରମଣକୁ ଶିଥିଳ କରିବାକୁ ସହରାଞ୍ଚଳରେ ବ୍ଲକିଂ ଆଉ ଚେକିଂକୁ ଜୋରଦାର କରାଯାଇଛି । ସହରାଞ୍ଚଳର ପ୍ରବେଶ ପଥ ଗୁଡ଼ିକରେ ଜଗି ରହିଛନ୍ତି ପୋଲିସ । ସପ୍ତାହାନ୍ତ ସଟଡାଉନ ଭିତରେ ଅମାନିଆଙ୍କୁ ଜଗିବାକୁ କଟକର ୨୫ଟି ଏବଂ ଭୁବନେଶ୍ୱରରେ ୪୩ଟି ଜାଗାରେ ନାକା ଲଗାଇଛି ପୋଲିସ । ପିସିଆର୍ ଭ୍ୟାନରେ ମାଇକ୍ ଜରିଆରେ ଲୋକଙ୍କୁ ପୋଲିସ ସଚେତନ ବି କରୁଛି । ସଟଡାଉନ୍ ସମୟରେ ଜରୁରୀକାଳୀନ ଏବଂ ଅତ୍ୟାବଶ୍ୟକ ସେବା ସହ ଜଡ଼ିତ ବ୍ୟକ୍ତିଙ୍କୁ ବାଦ୍ ଦିଆଯାଇଛି ।

You might also like