ଭଙ୍ଗା ଦଦରା ନୁଆଁଣିଆ ଚାଳଘରେ ଚାଲିଛି ସ୍କୁଲ୍‌

ସରକାର କହୁଛନ୍ତି ଆମ ଓଡ଼ିଶା ବିକାଶର ଶୀର୍ଷରେ

ଭୁବନେଶ୍ୱର/କେନ୍ଦ୍ରାପଡ଼ା/ପୁରୀ : ଚାରିଆଡ଼େ ସନ୍ତସସନ୍ତିଆ ପରିବେଶ। ନା ଯିବାକୁ ଅଛି ରାସ୍ତା, ନା ରହିଛି ଉତ୍ତମ ପରିବେଶ। ଗୁହାଳଘର ଭଳି ବାହାରକୁ ଦେଖାଯାଉଛି ଝାଟିମାଟି ଚାଳଘର। ଏ ହେଉଛି କେନ୍ଦ୍ରାପଡ଼ା ଜିଲା ଚାନ୍ଦୋଳ ତୋଟାସାହି ର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ। କେବଳ ବାହାର ନୁହେଁ, ଭିତରର ଅବସ୍ଥା ଆହୁରି ଦୟନୀୟ। ଅନ୍ଧାର କୋଠରୀ ପାଲଟିଛି ଜ୍ଞାନ ଅାହରଣର କେନ୍ଦ୍ର। ପିଲାଙ୍କ ବସିବା ଜାଗାରେ ଗଦା ହୋଇଛି ଅବ୍ୟବହୃତ ସାମଗ୍ରୀ ଏବଂ ଜାଳ।

ତେବେ ବର୍ଷାଦିନେ ଅବସ୍ଥା ଅାହୁରି ସାଂଘାତିକ ହୋଇପଡୁଥିବାବେଳେ ସରୀସୃପର ଭୟ ବି ରହୁଛି। ତେବେ ମାଟି କାନ୍ଥ ଅନେକଥର ଭୁଶୁଡିଥିବାରୁ ପିଲାଙ୍କ ଜୀବନକୁ ନେଇ ଚିନ୍ତାରେ ରହୁଛନ୍ତି ଅଭିଭାବକ। ସର୍ବଶିକ୍ଷା ଯୋଜନାରେ ଉନ୍ନତ ଶିକ୍ଷାପ୍ରଦାନର ଏଭଳି କାର୍ଯ୍ୟକାରିତାକୁ ନେଇ ଅସନ୍ତୋଷ ଦେଖାଦେଇଛି। ତେବେ ସ୍କୁଲ ପାଇଁ ଜମି ଅଧିଗ୍ରହଣ ସରିଥିବା କହିଛନ୍ତି ଏବିଇଓ।

ସେପଟେ ପୁରୀ ସାକ୍ଷୀଗୋପାଳ ବ୍ଲକ୍ ଗୁଅାଳିଗୋରଡା ଗୋପବନ୍ଧୁ ଉଚ୍ଚବିଦ୍ୟାଳୟରେ ବି ଅବ୍ୟବସ୍ଥିତ ଶିକ୍ଷାଦାନକୁ ନେଇ ଅଭିଯୋଗ ହୋଇଛି। ବର୍ଷର ଅଧିକାଂଶ ସମୟ ଶିକ୍ଷକ ଶିକ୍ଷୟିତ୍ରୀ ଡେରିରେ ଅାସୁଥିବାବେଳେ ପାଠପଢ଼ା ନିୟମିତ ହେଉନଥିବା ଅଭିଯୋଗ ହୋଇଛି। ଏପରିକି ନଳକୂଅ ଭାଙ୍ଗିଯାଇଥିବାରୁ ପିଇବା ପାଣି ପିଇ ପାରୁନାହାନ୍ତି ପିଲା।

ପୁଣି ପାଇଖାନା କାର୍ଯ୍ୟକ୍ଷମ ହୋଇନଥିବାରୁ ଅସୁବିଧା ହେଉଥିଲେବି ସମସ୍ୟା ପ୍ରତି କେହି ନଜର ଦେଉନଥିବା ଅଭିଯୋଗ ହୋଇଛି। ଏନେଇ ଗ୍ରାମବାସୀ କିଛିଦିନ ତଳେ ସ୍କୁଲରେ ତାଲା ମଧ୍ୟ ପକାଇଥିଲେ। ତେବେ ଘଟଣା ନେଇ ବ୍ଲକ୍ ଶିକ୍ଷାଧିକାରୀ କହିଛନ୍ତି ଖୁବ୍ ଶୀଘ୍ର ସମସ୍ୟାର ସମାଧାନ କରାଯିବ।

You might also like