ତାତିଲେ ଲୋକେ : ମୌଳିକ ସୁବିଧା ନାହିଁ ତ ଭୋଟ ନାହିଁ

ଅନୁଗୁଳ( ବିରଜା ପ୍ରସାଦ ଦାସ) /କୋରାପୁଟ (ସୂର୍ଯ୍ୟ ପଣ୍ଡା) : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କର୍ଣ୍ଣପାଳ ଗାଁ। ସ୍ୱାଧିନତାର ଦୀର୍ଘ ବର୍ଷ ପରେ ବି ଏଠାରେ ପହଞ୍ଚି ପାରିନି ବିକାଶ। ସରକାରୀ ଯୋଜନା ଏଠି ଅପହଞ୍ଚ। ଗାଁକୁ ନାହିଁ ଭଲ ରାସ୍ତା କି ପାନୀୟ ଜଳର ସୁବିଧା। କୂଅ କିମ୍ବା ନଳକୂଅ ନଥିବାରୁ ଗାଁରେ ଥିବା ଅପରିଷ୍କାର ପୋଖରୀ କିମ୍ବା ଚୁଆ ପାଣି ପିଅନ୍ତି ଗ୍ରାମବାସୀ।

ଏହାସହ ସରକାରଙ୍କ ଆବାସ ଯୋଜନା ଭଳି ସୁବିଧାରୁ ବଞ୍ଚିତ କର୍ଣ୍ଣପାଳ ଗ୍ରାମବାସୀ।  ତେଣୁ ଏଥର ଆଉ ନେତାଙ୍କ ପ୍ରତିଶ୍ରୁତି ନୁହେଁ, ଭୋଟ୍ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଏଠାକାର ଲୋକେ।

ଆଉ ଗୋଟେ ସ୍ଥାନ ହେଲା କୋରାପୁଟ୍ ଜିଲ୍ଲା ଲାଲଗୁଡ଼ା ଅଂଚଳ। ନିର୍ବାଚନ ପରେ ପ୍ରଶାସନ କି ନେତାଙ୍କ ଏଠାରେ କେବେ ପାଦ ପଡେନି। ଗାଁରେ ରାସ୍ତା, ପାନୀୟ ଜଳ, ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଅପହଞ୍ଚ। ହେଲେ ପ୍ରଶାସନ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ଗାଁକୁ ରାସ୍ତା ନଥିଲେ ବି ରାସ୍ତା ନିର୍ମାଣ ସରିଥିବା ଫଳକ ଲଗିଛି।

କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ କୌଣସି ଯୋଜନାର ଲାଭ ପାଇପାରୁନାହାନ୍ତି ଗ୍ରାମବାସୀ। ବାରମ୍ବାର ପ୍ରଶାସନର ପ୍ରତିଶ୍ରୁତି ଫେଲ୍‌ ମାରିବା ପରେ ଏଥର ଭୋଟ୍ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଗ୍ରାମବାସୀ।

You might also like