ମିଳୁନି ରାସ୍ତା ପାଣି ଭଳି ମୌଳିକ ସୁବିଧା, ବିଜୁଳି ଏହି ଗାଁରେ ସାତ ସପନ

ପ୍ରତିଶ୍ରୁତି ଦେଇ ନିର୍ବାଚନ ପରେ ଉଭାନ୍ ହୋଇଯାଉଛନ୍ତି ନେତା

ଭୁବନେଶ୍ୱର : ରାସ୍ତା, ପାଣି, ବିଜୁଳି ଓ ସ୍ୱାସ୍ଥ୍ୟ ସେବା ନିର୍ବାଚନର ଏ ଚାରି  ପ୍ରମୁଖ ପ୍ରସଙ୍ଗକୁ ନେଇ ଏବେ ମଇଦାନରେ ମୁହାଁମୁହିଁ ହେଉଛନ୍ତି ନେତା। ନିର୍ବାଚନ ପୂର୍ବରୁ ଭୋଟରଙ୍କ ପାଖରେ ପ୍ରତିଶ୍ରୁତିର ପାହାଡ଼ ଠିଆ କଲା ବେଳେ ସବୁ ଦଳର ଫୋକସରେ ରହୁଛି ଏ ଚାରି ପ୍ରସଙ୍ଗ। ହେଲେ ରାଜ୍ୟରେ ଏବେ ବି ଏମିତି ଅପହଞ୍ଚ ଇଲାକା ଅଛି ଯେଉଁଠି ନେତାଙ୍କ ପାଦ କେବଳ ଭୋଟ୍ ବେଳେ ପଡେ। ସୁନ୍ଦରଗଡ ଡୁଙ୍ଗୁରିପାଲିର ପାହାଡ଼ ଉପରେ ଥିବା ଏମିତି ଏକ ଅପହଞ୍ଚ ଇଲାକାରୁ ଏହି ରିପୋର୍ଟ-

ସରକାରଙ୍କ ବିକାଶ ଚିତ୍ରର ଆଉ ଏକ ଆଇନା। ସୁନ୍ଦରଗଡ଼ ଡୁଙ୍ଗୁରିପାଲିର କରୁଆଡେରା ଗାଁ। ନଗଡାର ସ୍ମୃତିକୁ ମନେପକାଏ କରୁଆଡେରା। ଗାଁରେ ପହଁଞ୍ଚିବାର ଏକମାତ୍ର ମାଧ୍ୟମ ହେଉଛି ପାଦ ଚଲା। ରାସ୍ତା ଭାଲୁବାହାଲ ଯାଏଁ ମୋଟର ସାଇକେଲରେ ଯିବା ପରେ ପ୍ରାୟ ୨ କିମି ଚାଲିଚାଲି ଗଲେ ପଡେ କରୁଆଡେରା ଗାଁ।

ତିନି ବର୍ଷ ତଳେ ନଗଡ଼ାର ହଇଚଇ ପରେ ପ୍ରଥମେ ଓଟିଭି ହିଁ ଏ ଗାଁର ଚିତ୍ର ପଦାକୁ ଆଣିଥିଲା। ସେତେବେଳେ ପ୍ରଶାସନ ପ୍ରୟାସ କରିଥିଲା ଗାଁ ଲୋକଙ୍କ ପାଖରେ ପହଁଞ୍ଚିବାକୁ। ତେବେ ଗାଁ ମୁଣ୍ଡରେ ଏକ ସ୍କୁଲ ଘର ତିଆରି କରିବା ଭିତରେ ସୀମିତ ରହିଯାଇଛି କରୁଆଡେରାର ବିକାଶ।

ଗାଁରେ ଓରାମ ଓ ଖତିଆ ସଂପ୍ରଦାୟର ପ୍ରାୟ ୬୫ ପରିବାର ରହୁଛନ୍ତି। ପାହାଡ ଉପରେ ରହୁଥିବା ଏ ଆଦିବାସୀ ପରିବାର ଖରାଦିନେ ପାଣି ପାଇଁ ଡହଳ ବିକଳ ହୁଅନ୍ତି। କରୁଆଡେରା ଗାଁରେ ଥିବା ଏକମାତ୍ର ପାଣିର ଉତ୍ସ ଏବେ ଶୁଖି ଗଲାଣି। ବାଧ୍ୟ ହୋଇ ଗାଁ ଲୋକେ ଏକ କିଲୋମିଟର ଦୂରରେ ଥିବା ଭାଲୁବାହାଲ ଗାଁର ଚୁଆପାଣି ଉପରେ ନିର୍ଭର କରନ୍ତି।

ରାଜ୍ୟ ସରକାରଙ୍କ ବସୁଧା ଯୋଜନାରେ ପ୍ରତି ଘରେ ପାଇପ ଯୋଗେ ପିଇିବା ପାଣି ପହଁଞ୍ଚାଇବାର ସରକାରୀ ଦଳର ଏ ଦମ୍ଭୋକ୍ତିର ପୋଲ ଖୋଲିଛି କରୁଆଡେରାର ବାସ୍ତବତା।

ଗାଁକୁ ରାସ୍ତା ନ ଥିବାରୁ ବିଜୁଳି ବି ଏମାନଙ୍କ ପାଇଁ ସାତ ସପନ। ପଡୋଶୀ ଭାଲୁବାହାଲ ଗାଁ ଯାଏ ସୋଲରା ଲାଇଟ ପହଁଞ୍ଚାଇଛି ପ୍ରଶାସନ। ହେଲେ ତିନି ବର୍ଷ ପରେ ବି ଆଗକୁ ବଢିପାରିନି ଏ ଯୋଜନା। ଦେହ ଖରାପ ହେଲେ ରୋଗୀଙ୍କୁ ଖଟିଆରେ ବୋହି ନେବା ଛଡା ଅନ୍ୟ ଚାରା ନାହିଁ।

ତେବେ ଏ ତିନି ବର୍ଷ ଭିତରେ ପିଲାଙ୍କ ଶିକ୍ଷା ପାଇଁ ସରକାର ପାହାଡ଼ ଉପରେ ଗୋଟିଏ ପ୍ରାଥମିକ ସ୍କୁଲଟିଏ କରିଛନ୍ତି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ପୁଣି ଗାଁ ଲୋକଙ୍କୁ ମିଳିଥିଲା ନେତାଙ୍କ ପୁଳା ପୁଳା ପ୍ରତିଶ୍ରୁତି। ହେଲେ ନିର୍ବାଚନ ସରିଗଲା ପରେ କାହାର ଦେଖାମିଳିଲାନି। ଏବେ ପୁଣି ନିର୍ବାଚନ ଆସୁଛି। ୧୮ ତାରିଖରେ ଏ ଅଂଚଳର ଲୋକ ଭୋଟ ଦେବେ। ତେବେ ଏଥର ଭୋଟ ମାଗିବାକୁ ନେତା ଆସିଲେ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି କେତେ ପୂରଣ କରିଛି ସେ ନେଇ ଜବାବ ମାଗିବାକୁ ସଜାଗ ହେଉଛନ୍ତି କରୁଆଡେରାର ଆଦିବାସୀ।

କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି ଆଦିବାସୀଙ୍କ ବିକାଶ ପାଇଁ ଡିଏମଏଫରେ ଟଙ୍କା ଆସିଥିଲେ ବି ରାଜ୍ୟ ସରକାର ଏହାକୁ ଖର୍ଚ୍ଚ କରିବାରେ ଆନ୍ତରିକତା ଦେଖାଉନାହାନ୍ତି। ତେବେ ମନ୍ତ୍ରୀଙ୍କ ଏ ମନ୍ତବ୍ୟ ନେଇ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନି।

You might also like