ବାତ୍ୟା ଯିବାର ୫ ଦିନ ପରେ ବି ଥମୁନି ହାହାକାର

ବିପନ୍ନଙ୍କ ପାଖରେ ଅପହଞ୍ଚ ସହାୟତା , ପାଣି ଓ ବିଜୁଳି ପାଇଁ ସବୁଠି ଯୁଦ୍ଧ ଭଳି ସ୍ଥିତି

ଭୁବନେଶ୍ୱର : ବାତ୍ୟା ଫୋନିର ତାଣ୍ଡବ ପରେ ସବୁଠି ହାହାକାର। ଅନେକ ସ୍ଥାନରେ ଆନ୍ଦୋଳନକୁ  ଓହ୍ଲାଇଛନ୍ତି ସାଧାରଣ ଲୋକ। ଏସବୁ ରାଜ୍ୟ ସରକାରଙ୍କୁ ଅଡ଼ୁଆରେ ପକାଇଥିବା ବେଳେ ଜଳଯୋଗାଣ, ରିଲିଫ୍ ଓ ବିଦ୍ୟୁତ ସେବା ସ୍ୱାଭାବିକ୍‌ କରିବାକୁ ଜୋରସୋରରେ ଉଦ୍ୟମ ଚାଲିଥିବା ସରକାର କହିଛନ୍ତି।

ଜଗତସିଂହପୁର, ଜଟଣୀ, ଭୁବନେଶ୍ୱର ସବୁଠି ରାସ୍ତାରୋକ। ଚାଲିଛି ଆନ୍ଦୋଳନ। ବାତ୍ୟାର ୫ଦିନ ପରେ ବି ବିପନ୍ନଙ୍କୁ ସହାୟତା ମିଳିନଥିବାରୁ ବଢୁଛି ଅସନ୍ତୋଷ। ବାତ୍ୟା ପରେ କେବଳ ଗୋଟିଏ ଦିନ ରନ୍ଧା ଖାଦ୍ୟ ଦିଆଯାଇଥିଲା। ତା’ପରେ ଆଉ କୌଣସି ସାହାଯ୍ୟ ମିଳିନଥିବା ଅଭିଯୋଗ ଆଣି ରାସ୍ତାକୁ ଓହ୍ଲାଇଛନ୍ତି ବିପନ୍ନ। ଜଗତସିଂହପୁର ରଘୁନାଥପୁର ବ୍ଲକ ଜୟଶୋଳ ଓ ତରିକୁନ୍ଦ ଅଞ୍ଚଳ ଲୋକେ କନ୍ଦରପୁର-ମାଛଗାଁ ରାସ୍ତାର ଧନିପୁରଠାରେ ରାସ୍ତା ଅବରୋଧ କରିଥିଲେ। ସେପଟେ ଜଳ ଯୋଗାଣ ସାଙ୍ଗକୁ ବିଦ୍ୟୁତ ସଂଯୋଗ ହୋଇନଥିବାରୁ ରାଜଧାନୀରେ ଆନ୍ଦୋଳନ କରାଯାଇଛି।

ଚନ୍ଦ୍ରଶେଖରପୁରସ୍ଥିତ ବିଡିଏ କଲୋନୀ ଓ ହାଉସିଂବୋର୍ଡ ଅଂଚଳରେ ଶତାଧିକ ବିପନ୍ନ ଆଜି ଜୟଦେବ ବିହାର-ନନ୍ଦନକାନନ ରାସ୍ତା ଉପରେ ଗଛ ପକାଇ ଅବରୋଧ କରିଥିଲେ। ପାଣି ଓ ରିଲିଫ୍ ଦାବିରେ ଖୋର୍ଦ୍ଧା-ଜଟଣୀ ରାସ୍ତାକୁ ବନ୍ଦ କରିଥିଲେ ସ୍ଥାନୀୟ ଲୋକ।ବାତ୍ୟାରେ ୧୪ ଜିଲ୍ଲାର ୧୬ ହଜାରରୁ ଅଧିକ ଗାଁ କ୍ଷତିଗ୍ରସ୍ତ ହୋଇଛି। ପ୍ରଭାବିତ ହୋଇଛନ୍ତି  ୧କୋଟି ୪୦ ଲକ୍ଷ ଲୋକ। ତେଣୁ ସରକାରଙ୍କ ଆଗରେ ଏବେ ପୁର୍ନରୁଦ୍ଧାର କାର୍ଯ୍ୟ ଚାଲେଞ୍ଜ ହୋଇଛି।

ଏସବୁ ଭିତରେ ରିଲିଫ୍, ବିଜୁଳି ଓ ପାନୀୟ ଜଳ ପାଇଁ ଡହଳ ବିକଳ ଲୋକେ। ତେବେ ସରକାରଙ୍କ ଦାବି ହେଲା ଭୁବନେଶ୍ୱରରେ ୬୦ ପ୍ରତିଶତ ଓ ପୁରୀରେ ୭୦ ପ୍ରତିଶତ ଜଳଯୋଗାଣ ବ୍ୟବସ୍ଥା କରାଯାଇଛି। ଆଉ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ରିଲିଫ୍ ବି ଲୋକଙ୍କ ପାଖରେ ପହଞ୍ଚିଛି। ସବୁ ଜିଲ୍ଲାପାଳମାନଙ୍କୁ ମଧ୍ୟ ରିଲିଫ୍ ଯୋଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହଯାଇଛି।

You might also like