ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ କଂଗ୍ରେସର ସମାବେଶରେ କଣ୍ଟା ସାଜିଛି କରୋନା କଟକଣା। ବାଇକ୍ ରାଲି ଓ ପଦଯାତ୍ରାକୁ ବାରଣ କରାଯାଇଥିବା ବେଳେ ୧୫ ଶହ ଲୋକଙ୍କୁ ନେଇ ସଭା ଆୟୋଜନ କରିବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛି। ଏହାସହ ସଭାରେ ଯୋଗ ଦେବାକୁ ଥିବା ଲୋକଙ୍କ ଆର୍ଟିପିସିଆର୍ ଟେଷ୍ଟ କରିବାକୁ ବାଧ୍ୟତାମୂଳକ କରାଯାଇଛି। ଯାହାକୁ ନେଇ କଂଗ୍ରେସ ନେତା ତଥା ବିଧାୟକ ତାରା ପ୍ରସାଦ ବାହିନୀପତି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି।
ତାରା ବାହିନୀପତି କହିଛନ୍ତି, ଜାଣିଶୁଣି କଂଗ୍ରେସର କାର୍ଯ୍ୟକ୍ରମରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରାଯାଉଛି। ସରକାରୀ ଦଳ ଗଞ୍ଜାମ ଜିଲ୍ଲାରେ କଂଗ୍ରେସକୁ ସଙ୍କୁଚିତ କରିବାକୁ ଚେଷ୍ଟା କରୁଥିବା ତାରା ଅଭିଯୋଗ କରିଛନ୍ତି। ସେହିପରି ଦିଲ୍ଲୀରେ ଚାଷୀ ସମାବେଶରେ କ’ଣ କରୋନା ଟେଷ୍ଟ କରାଯାଉଛି କି ବୋଲି ପ୍ରଶ୍ନ କରିବା ସହ ଗଞ୍ଜାମ ଜିଲ୍ଲା ପ୍ରଶାସନର ନିୟମକୁ ସମାଲୋଚନା କରିଛନ୍ତି ତାରା ବାହିନୀପତି।
ସୂଚନାଥାଉ କି, ଗଞ୍ଜାମ ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ସହିଦ ଦିବସ ପାଳନ କରାଯିବ। ରାଜ୍ୟ କଂଗ୍ରେସ ପ୍ରଭାରୀ ଡା.ଚେଲ୍ଲା କୁମାରଙ୍କ ସମେତ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତିଙ୍କ ସହ ବହୁ ନେତା ବ୍ରହ୍ମପୁର ଆସିବେ। ଏଥିପାଇଁ ୭ ହଜାର ଲୋକଙ୍କ ବିରାଟ ବାଇକ୍ ରାଲି ସହ ବ୍ରହ୍ମପୁର ଖଲ୍ଲିକୋଟ କଲେଜ ଷ୍ଟାଡିୟମରେ ଏକ ବିରାଟ ସଭା ଆୟୋଜନ ନେଇ ପାର୍ଟି ପକ୍ଷରୁ ଯୋଜନା ହୋଇଥିଲା। ହେଲେ କରୋନା କଟକଣା ଯୋଗୁ ବାଇକ୍ ରାଲି ଓ ପଦଯାତ୍ରାକୁ ବାରଣ କରାଯାଇଛି। ୧୫ ଶହ ଲୋକଙ୍କୁ ନେଇ ସଭା ଆୟୋଜନ କରିବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛି।