ଦିନରେ କର୍ଫ୍ୟୁ ହେବ କି? ସ୍ପଷ୍ଟ କଲେ ଏସ୍‌ଆର୍‌ସି

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ସ୍ଥିତିରେ କୌଣସି ଡେ କର୍ଫ୍ୟୁର ଯୋଜନା ନାହିଁ। ଏବେ କୋଭିଡ୍ ସଂକ୍ରମଣ ସ୍ଥିତି ବହୁତ ପରିମାଣରେ ନିୟନ୍ତ୍ରଣରେ ଅଛି। ତଥାପି ରାଜ୍ୟ ସରକାର ତାଉପରେ ନଜର ରଖିଛନ୍ତି ବୋଲି ସ୍ପଷ୍ଟ କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର। ଏକ ଟ୍ୱିଟ୍ କରି ସେ ଏହି ସ୍ପଷ୍ଟୀକରଣ ରଖିଛନ୍ତି। ବର୍ତ୍ତମାନ ବଢ଼ିଚାଲିଥିବା କୋଭିଡ୍ ରୋଗୀଙ୍କ ସଂଖ୍ୟାକୁ ଦେଖି ବାଚସ୍ପତି ଡେକର୍ଫ୍ୟୁ ଜାରି ନେଇ ୪/୫ ଦିନ ଭିତରେ ନିଷ୍ପତ୍ତି ନିଆଯାଇପାରେ ବୋଲି ଆଶଙ୍କା କରିଥିଲେ।

ଏନେଇ ଆଜି ଗଣମାଧ୍ୟମରେ ରିପୋର୍ଟ ପରେ ଏସ୍‌ଆର୍‌ସି ଟ୍ୱିଟ୍ କରି ସେଭଳି କୌଣସି ଯୋଜନା ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି। ଲୋକେ କୋଭିଡ୍ ନିୟମ ମାନିବା ସହ ସାମାଜିକ ଦୂରତା ବଜାୟ ରଖିବାକୁ ପରାମର୍ଶ ଦେଇଛନ୍ତି। ତେଣେ ଆସନ୍ତାକାଲି ରାତି ୧୦ରୁ ପଶ୍ଚିମ ଓଡ଼ିଶାର ୭ ଓ ଦକ୍ଷିଣ ଓଡ଼ିଶାର ୩ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଜାରି ହେବ।

ଏହାକୁ ଦୃଷ୍ଟିରେ ରଖି ଏସବୁ ଜିଲ୍ଲାରେ ବ୍ଲୁ ପ୍ରିଣ୍ଟ ତିଆରି କରିଛନ୍ତି ବିଭିନ୍ନ ଜିଲ୍ଲାର ଏସ୍‌ପି। ରାତି ୧୦ରୁ ସକାଳ ୫ ଭିତରେ ଜରୁରୀ କାମ ନଥାଇ ଘରୁ ବାହାରିଲେ ମାମଲା ରୁଜୁ କରାଯିବ। ଆଜି ରାଜ୍ୟରେ ଦୈନିକ ସଂକ୍ରମଣ ୫ଶହ ମୁହାଁ ହୋଇ ୪୭୧ରେ ପହଞ୍ଚିଛି। ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୮୫ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ କଳାହାଣ୍ଡିରେ ୫୦, ନୂଆପଡ଼ାରେ ୪୨, ଖୋର୍ଦ୍ଧାରେ ୪୦ ଏବଂ ବଲାଙ୍ଗିରରୁ ୩୬ ଜଣ ଚିହ୍ନଟ ହୋଇଛନ୍ତି। ଏସବୁ ଭିତରେ ୭ କର୍ମଚାରୀ ପଜିଟିଭ୍ ପରେ ଭୁବନେଶ୍ୱର ସ୍ଥିତ ଏସ୍‌ବିଆଇର ମୁଖ୍ୟ ଶାଖାକୁ ୨ ଦିନ ପାଇଁ ସିଲ୍ କରିଦେଇଛି ବିଏମ୍‌ସି। ତାସହ ଭୁବନେଶ୍ୱର ରେଳଷ୍ଟେସନ୍‌ର ୨ କରୋନା ସଂକ୍ରମିତ ଯାତ୍ରୀଙ୍କୁ ଚିହ୍ନଟ କରାଯାଇଛି।

ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣକୁ ନେଇ ଲକ୍‌ଡାଉନ ଓ କର୍ଫ୍ୟୁ ଲାଗୁ ସମ୍ପର୍କରେ ଚର୍ଚ୍ଚା ଲାଗି ରହିଥିବା ବେଳେ ଏନେଇ ସ୍ପଷ୍ଟ କରିଛନ୍ତି (SRC) ସ୍ୱତନ୍ତ୍ର ରିଲଫ୍ କମିଶନର ପ୍ରଦୀପ କୁମାର ଜେନା। ସେ କହିଛନ୍ତି ରାଜ୍ୟରେ ଦିନ କର୍ଫ୍ୟୁ ଲାଗୁ ହେବ ନାହିଁ । ରାଜ୍ୟରେ ଏବେ କରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି। ସରକାର ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ବର୍ତ୍ତମାନ ସ୍ଥିତିରେ ଦିନ କର୍ଫ୍ୟୁ ନେଇ କୌଣସି ଯୋଜନା ନାହିଁ। ସମସ୍ତେ କୋଭିଡ୍ ନିୟମ ମାନି ଚଳିବାକୁ ସେ ପରାମର୍ଶ ଦେଇଛନ୍ତି।

You might also like