ଭୁବନେଶ୍ୱର: ମୋ ପରିବାରରୁ କେହି ବି ରାଜନୀତିକୁ ଆସିବେ ନାହିଁ। ମୋ ପରେ କିଏ ଉତ୍ତରଦାୟିତ୍ୱ ଗ୍ରହଣ କରିବ ତାହା ଜନସାଧାରଣ ନିଷ୍ପତ୍ତି କରିବେ। ଏ ରାଜ୍ୟର ଜନତା ହିଁ ତାଙ୍କ ନେତା ବାଛିବେ। ଲଗାତାର ପଞ୍ଚମଥର ପାଇଁ ବିଜୟ ହାସଲ କରିଥିବା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଏହା କହିଛନ୍ତି।
ନିଜ ରାଜନୀତି କ୍ୟାରିୟରରେ କେବେ ବି ପରାଜୟ ସ୍ୱାଦ ଚାଖି ନ ଥିବା ନବୀନ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେବା ଅବସରରେ ଏଭଳି ସଫା ସଫା କହିଛନ୍ତି।
ଏଣେ ତାଙ୍କ ପୁତୁରା ଅରୁଣ ପଟ୍ଟନାୟକ ରାଜନୀତିକୁ ଆସିବେ ବୋଲି ଦୀର୍ଘ ଦିନ ଧରି ଯେଉଁ ଚର୍ଚ୍ଚା ହୋଇ ଆସୁଛି, ନବୀନଙ୍କ ଏଭଳି ପ୍ରତିକ୍ରିୟା ଏହାକୁ ଏକ ଭିନ୍ନ ରୂପ ଦେଇଛି।
ଅରୁଣ ଆଗାମୀ ଦିନରେ ରାଜ୍ୟ ରାଜନୀତିରେ ସକ୍ରିୟ ଭୂମିକା ନେବେ କି ନାହିଁ ତାହା ପ୍ରଶ୍ନ ଘେରକୁ ଚାଲିଯାଇଛି। ଯଦି ନବୀନଙ୍କ ଏହି ପ୍ରତିକ୍ରିୟା ବାସ୍ତବ ହୁଏ ତେବେ ଅରୁଣଙ୍କ ରାଜନୈତିକ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ପଡ଼ିଲା ବୋଲି କୁହାଯାଇ ପାରେ।
ସେହିପରି ନବୀନଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ରହିଛି ବୋଲି ଅନେକ ସମୟରେ ଯେଉଁ ଚର୍ଚ୍ଚା ହୁଏ ତାହାକୁ ନେଇ ନବୀନ କହିଛନ୍ତି ମୋ ସ୍ୱାସ୍ଥ୍ୟ ମୋ ପାଇଁ ସମସ୍ୟା ନୁହେଁ।