ଖଣ୍ଡେ ଲାଠିରେ ଚାଲିଛି ତଟ ସୁରକ୍ଷା
ଭୁବନେଶ୍ୱର: ଓଡ଼ିଶାକୁ ମୁହାଁଇଛନ୍ତି ଆସାମ ଶରଣାର୍ଥୀ। ସେ ଦୃଷ୍ଟିରୁ ଆମ ସାମୁଦ୍ରିକ ଥାନା ଗୁଡ଼ିକ ସତର୍କ ରହିବା କଥା। ହେଲେ ବାଲେଶ୍ୱର ଜିଲ୍ଲା ବଳରାମଗଡ଼ି ସାମୁଦ୍ରିକ ଥାନାର ଦୃଶ୍ୟ ଥିଲା ଅଲଗା। ଥାନା ପରିସର ଖାଁ ଖାଁ ଲାଗୁଥିଲା। ଆଉ ଉପକୂଳ ସୁରକ୍ଷାର ପାଇଁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଛାଡ଼ନ୍ତୁ ଖଣ୍ଡେ ଖଣ୍ଡେ ଲାଠିରେ ଚାଲିଛି ଏଠିକାର ତଟସୁରକ୍ଷା।
ସବୁଠାରୁ ଉଦ୍ବେଗର କଥା ହେଉଛି ଏଠି ୭୭ ଜଣଙ୍କ ସ୍ଥାନରେ ଥାନାରେ ଅଛନ୍ତି ମାତ୍ର ୯ ଜଣ କର୍ମଚାରୀ। ଆଇଆଇସି ନାହାନ୍ତି, ସବ୍ ଇନ୍ସପେକ୍ଟର ବି ନାହାନ୍ତି। କେବଳ ବଳରାମଗଡ଼ି ତଟ ସୁରକ୍ଷାର କାହାଣୀ ନୁହେଁ, ଜିଲ୍ଲାରେ ଥିବା ଅନ୍ୟ ଦୁଇଟି ସାମୁଦ୍ରିକ ଥାନା ବାହାବଳପୁର ଓ ତାଳସାରୀରେ ବି ସ୍ଥିତି ସମାନ। ସମୁଦ୍ର ପାଟ୍ରୋଲିଂ ପାଇଁ ଜିଲ୍ଲାକୁ ୩ଟି ହାଇସ୍ପିଡ୍ ବୋଟ୍ ତ ମିଳିଛି। ହେଲେ ସେଥିରୁ ଗୋଟିଏ ଅଚଳ ହୋଇ ପଡ଼ିଛି। ଏମିତିକି କାମ କରୁଥିବା ବୋଟ୍ରେ ତେଲ ପକାଇବାକୁ ଟଙ୍କା ନାହିଁ କି ପାଟ୍ରୋଲିଂରେ ଯିବାକୁ ଲୋକ ନାହାଁନ୍ତି। ତେବେ ଏସ୍ପି କହିଛନ୍ତି ତଟ ସୁରକ୍ଷାକୁ ଜୋର୍ଦ୍ଦାର କରିବା ଲାଗି ପଦକ୍ଷେପ ନିଆଯାଉଛି।
କେବଳ ବାଲେଶ୍ୱର ନୁହେଁ, ଗଞ୍ଜାମ ଜିଲ୍ଲାରେ ଥିବା ସବୁ ସାମୁଦ୍ରିକ ଥାନାରେ ସମାନ ସମସ୍ୟା। ଆବଶ୍ୟକ ସଂଖ୍ୟକ କର୍ମଚାରୀ ସାଙ୍ଗକୁ ପାଟ୍ରୋଲିଂ ପାଇଁ ବୋଟ୍ର ରହିଛି ଅଭାବ। ବାଂଲାଦେଶୀ ଅନୁପ୍ରବେଶକୁ ଆଖି ଆଗରେ ରଖି ସରକାର ସବୁ ଥାନାକୁ ହାଇ ଆଲର୍ଟ ଜାରି କରିଥିଲେ। ହେଲେ ଏଭଳି ସ୍ଥିତିରେ କିପରି ଅନୁପ୍ରବେଶକୁ ରୋକିହେବ ତାହା ସହଜେ ଅନୁମେୟ।