ଟୋଲ୍‌ଗେଟ୍‌ରେ ଚେକିଂ କଡ଼ାକଡ଼ି

ଭୁବନେଶ୍ୱର: ରାଜ୍ୟରେ ଦୁର୍ଘଟଣା ରୋକିବାକୁ ଯାନବାହାନକୁ କଡ଼ାକଡ଼ି ଭାବେ ଯାଞ୍ଚ କରାଯାଉଛି। ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିବା ଡ୍ରାଇଭରଙ୍କୁ ଧରିବା ପାଇଁ ଟୋଲ୍‌ଗେଟ୍‌ରେ ଚେକିଂ ଆରମ୍ଭ ହୋଇଛି।

ରାଜ୍ୟର ୧୪ଟି ଟୋଲ୍‌ଗେଟ୍‌ରେ ଏହି ଚେକିଂ ବ୍ୟବସ୍ଥା ଆରମ୍ଭ ହୋଇଛି। ଯେଉଁ ଗାଡ଼ି ଚାଳକମାନେ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଲାଉଛନ୍ତି ସେମାନଙ୍କୁ ତୁରନ୍ତ ଗିରଫ କରିବାକୁ ପୁଲିସ୍‌ ଡିଜି ନିର୍ଦ୍ଦେଶ ଦେଇଛନ୍ତି।

ପୁଲିସ୍‌ ଡିଜିଙ୍କ ଏହି ନିର୍ଦ୍ଦେଶ ପରେ ଗତକାଲି କଟକ ମଙ୍ଗୁଳି ଟୋଲ୍‌ଗେଟ୍‌ରେ ୪ ଜଣ ନିଶାସକ୍ତ ଡ୍ରାଇଭରଙ୍କୁ ଗିରଫ କରାଯାଇଛି। ଏହା ବ୍ୟତୀତ ଅନ୍ୟ କିଛି ନିଶାସକ୍ତ ଗାଡ଼ି ଚାଳକଙ୍କ ନିକଟରୁ ଜରିମାନା ଆଦାୟ ହୋଇଥିବା ଜଣାପଡ଼ିଛି।

ସେହିପରି ଡିଜିଙ୍କ କଡା ନିର୍ଦ୍ଦେଶ ପରେ ବରଗଡ଼ ଜିଲ୍ଲାରେ ମଧ୍ୟ କଡାକଡି ଚେକିଂ କରାଯାଇଥିଲା। ବରାହଗୋଡାଠାରେ ଥିବା ଟୋଲପ୍ଲାଜାରେ ଏସ୍‌ପି ପଦ୍ନିନୀ ସାହୁଙ୍କ ଉପସ୍ଥିତିରେ ବିଭିନ୍ନ ଗାଡିର ଡ୍ରାଇଭରମାନଙ୍କ ଯାଞ୍ଚ କରାଯାଇଥିଲା। ବ୍ରେଥ୍ ଆନାଲାଇଜରର୍‌ ଟେଷ୍ଟରେ ଯେଉଁ ଚାଳକଙ୍କ ରିପୋର୍ଟ ୩୦ ପ୍ରତିଶତରୁ ଅଧିକ ଆସିବ ସେମାନଙ୍କୁ ଗିରଫ କରାଯିବ ବୋଲି ଜଣାପଡ଼ିଛି।

ଜୟପୁରରେ ମଧ୍ୟ ପୁଲିସ ପକ୍ଷରୁ ବ୍ୟାପକ ଚେକିଂ କରାଯାଇଥିଲା। ଗାନ୍ଧୀ ଛକ ନିକଟରେ ପୁଲିସ୍‌ ସମସ୍ତ ଗାଡିର ଡ୍ରାଇଭରମାନଙ୍କ ବ୍ରେଥ୍ ଆନାଲାଇଜର ଟେଷ୍ଟ କରିଥିଲା।

You might also like