ଅବ୍ୟବସ୍ଥା ଘେରରେ ମହୁପାଳ ଓ ଡୁମାଡାହି ଗାଁ
ଦେଓଗଡ଼/ମୟୂରଭଞ୍ଜ: ଭୂୟାଁ ଓ କନ୍ଧ ସଂପ୍ରଦାୟର ଆଦିବାସୀଙ୍କର ୨୫ଟି ପରିବାରକୁ ନେଇ ରହିଛି ମହୁପାଳ ଗାଁ। ଦେଓଗଡ଼ ଜିଲ୍ଲା ବାରକୋଟ ବ୍ଲକରେ ମହୁପାଳ ଗ୍ରାମ ରହିଛି। ଏହି ଗାଁକୁ ଯିବାକୁ ହେଲେ ୩ଟି ନାଳ ଓ ୨ଟି ଉଚ୍ଚ ପାହାଡ଼ ଡେଇଁ ଯିବାକୁ ପଡ଼ିଥାଏ।
ଏ ପର୍ଯ୍ୟନ୍ତ ଗାଁକୁ ରାସ୍ତା ହୋଇପାରିନାହିଁ। କେବଳ ରାସ୍ତା ନୁହେଁ, ବିଜୁଳି ବି ଏହି ଗାଁର ଲୋକଙ୍କ ପାଇଁ ସ୍ୱପ୍ନ ହୋଇରହିଛି।
ଦେହ ଖରାପ ହେଲେ ରୋଗୀଙ୍କୁ ଖଟିଆରେ ବୋହି ନେବା ବ୍ୟତୀତ ଅନ୍ୟ କୌଣସି ଉପାୟ ମଧ୍ୟ ନାହିଁ। ଏପରିକି ନଳକୂପ ମଧ୍ୟ ନାହିଁ। କୂଅ ଶୁଖି ଯାଉଥିବାରୁ ମହିପାଳ ଗାଁର ଲୋକେ ଚୁଆ ଖୋଳି ପାଣି ସଂଗ୍ରହ କରିଥାନ୍ତି।
ଆଉ ପାଠପଢ଼ା କଥା କିଏ ପଚାରେ। ଏଭଳି ସ୍ଥିତିରେ ଆଦିବାସୀଙ୍କ ଅସୁବିଧା ସମ୍ପର୍କରେ ବାରମ୍ୱାର ପ୍ରଶାସନକୁ ଜଣାଇବେ ପରେ ମଧ୍ୟ କୌଣସି ସୁଧାର ହୋଇପାରିନାହିଁ।
କେବଳ ଦେଓଗଡ଼ ନୁହେଁ, ମୟୂରଭଞ୍ଜର ଡୁମାଡାହି ଗାଁରେ ସମାନ ଅବସ୍ଥା ଦେଖିବାକୁ ମିଳିଛି। ଗମନାଗମନ, ପାଣି, ବିଜୁଳି ଓ ବିଭିନ୍ନ ସରକାରୀ ସୁବିଧା ଗ୍ରାମବାସୀଙ୍କ ପାଇଁ ସାତସପନ ପାଲଟିଛି।
ପାଣି ସମସ୍ୟା ଯୋଗୁଁ ଏହି ଗାଁ ଲୋକେ ମଧ୍ୟ ଚୁଆ ଉପରେ ନିର୍ଭରଶୀଳ। କାହାର ଦେହ ଖରାପ ହେଲେ ଜରୁରୀକାଳୀନ ସେବା ମିଳିପାରୁନଥିବା ଲୋକେ ଅଭିଯୋଗ କରିଛନ୍ତି। ଏ ସଂପର୍କରେ ଅଭିଯୋଗ ପରେ ସବୁ ସମସ୍ୟାର ଖୁବଶୀଘ୍ର ସମାଧାନ ହେବ ବୋଲି କପ୍ତିପଦା ବିଡିଓ କହିଛନ୍ତି।