ମାସ୍କ ନ ପିନ୍ଧିଲେ ମିଳିବନି ପେଟ୍ରୋଲ

ଭୁବନେଶ୍ୱର: ଏଣିକି ମାସ୍କ ନ ପିନ୍ଧିଲେ ମିଳିବନି ପେଟ୍ରୋଲ। ରାଜ୍ୟର ପେଟ୍ରୋଲିୟମ ଡିଲର ସଂଘ ଏଭଳି ନିଷ୍ପତ୍ତି ନେଇଛି । କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ବର୍ତ୍ତମାନ ମାସ୍କ ଉପରେ ଗୁରୁତ୍ୱ ଦିଆଯାଇଛି। ତେଣୁ ୯ ତାରିଖଠାରୁ ରାଜ୍ୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଏପରିକି ମାସ୍କ ନ ପିନ୍ଧିଲେ ଫାଇନ ଦେବାକୁ ପଡ଼ିବ ବୋଲି ଚେତାବନୀ ଦିଆଯାଇଛି ।

ଏପରି ପରିସ୍ଥିତିରେ ଗ୍ରାହକ ଓ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଉତ୍କଳ ପେଟ୍ରୋଲିୟମ ସଂଘ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି। ଆସୋସିଏସନ ପକ୍ଷରୁ କୁହାଯାଇଛି, ରାଜ୍ୟରେ କରୋନା କାୟା ବିସ୍ତାର କରୁଥିବା ବେଳେ ଗତକାଲିଠାରୁ ମାସ୍କ ପିନ୍ଧିବାକୁ ସରକାର ବାଧ୍ୟତାମୂଳକ କରିଛନ୍ତି। ସେହି ଅନୁସାରେ ପେଟ୍ରୋଲ ପମ୍ପରେ ମଧ୍ୟ ଏହି ନିୟମକୁ କଡାକଡି କରାଯାଇଛି। ଏଣକି ମାସ୍କ ନ ପିନ୍ଧିଲେ ପେଟ୍ରୋଲ ଦିଆଯିବନି ବୋଲି ସଂଘ ପକ୍ଷରୁ କୁହାଯାଇଛି।

ପେଟ୍ରୋଲ୍ ପମ୍ପ କର୍ମଚାରୀ ଓ ଗ୍ରାହକମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏପରି  ନିଷ୍ପତ୍ତି ନିଆଯାଇଥିବା ଉତ୍କଳ ପେଟ୍ରୋଲିୟମ୍ ଡିଲର ସଂଘର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ ସୂଚନା ଦେଇଛନ୍ତି ।

You might also like