ନବନିର୍ମିତ ଡାକ୍ତରଖାନାରେ ନ ଥିଲା ଲାଇଟ୍‌, ମୋବାଇଲ୍‌ ଟର୍ଚ୍ଚରେ ହେଲା ରୋଗୀସେବା

ନୟାଗଡ଼: ଡାକ୍ତରଖାନାରେ ଥିଲା ଚକାଚକ୍‌। ବହୁ କୋଟି ଟଙ୍କା ବ୍ୟୟରେ ଅଳ୍ପଦିନ ତଳା ନିର୍ମାଣ କରାଯାଇଛି। ହେଲେ ଭିତରେ ଅନେକ ଅବ୍ୟବସ୍ଥା। ଏହି ନବନିର୍ମିତ ଡାକ୍ତରଖାନାରେ ବିଦ୍ୟୁତ୍ ସୁବିଧା ଉପଲବ୍ଧ ନାହିଁ। ଏପଟେ ଗୁରୁତର ଅବସ୍ଥାରେ ଆସିଥିବା ଜଣେ ରୋଗୀ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ଶେଷରେ ବାଧ୍ୟ ହୋଇ ମୋବାଇଲ ଟର୍ଚ୍ଚ ଲାଇଟ୍ ଜଳାଇ ଜଣେ ଗୁରୁତର ଆହତ ବ୍ୟଙ୍କିଙ୍କର ଚିକିତ୍ସା କରାଗଲା। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ରଣପୁର ବ୍ଲକ ରାଜ ସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ।

ଅଭିଯୋଗ ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା- ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବିନୋଦପଡା ଛକଠାରେ ଏକ ସଡକ ଦୁର୍ଘଟଣାର ଶିକାର ହୋଇଥିଲେ ଜଣେ ଯୁବକ । ଯୁବକ ଜଣଙ୍କ ଘର ଚମ୍ପାଇଲୋ ଗାଁରେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ରାଜ ସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।

ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଡ୍ରେସିଂ ରୁମକୁ ନିଆ ଯାଇଥିଲା । କିନ୍ତୁ ଏହି ଜରୁରୀକାଳୀନ ସେବା ଗୃହର କୌଣସି ଲାଇଟ ଜଳୁନଥିଲା । ଫଳରେ ମୋବାଇଲ ଟର୍ଚ୍ଚ ସାହାଯ୍ୟରେ ଷ୍ଟିଚ ପକାଇଥିଲେ ମେଡିକାଲ ଆଟେଣ୍ଡାଣ୍ଟ । ମାତ୍ର କିଛି ଦିନ ତଳେ ୫ କୋଟି ଟଙ୍କାରେ ନିର୍ମିତ ଏହି ସ୍ୱାସ୍ଥ୍ୟକେନ୍ଦ୍ରର ଡ୍ରେସିଂ ରୁମରେ ଲାଇଟ ନଥିବା ପ୍ରଶାସନିକ ଅବହେଳାକୁ ପଦାରେ ପକାଇଛି। ଏଭଳି ଦାୟିତ୍ୱହୀନତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।

You might also like