ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲାଙ୍କୁ ହୋମ୍‌ ଟାସ୍କ ଦିଆ ନଯାଉ

ଓଡ଼ିଶାରେ ଲାଗୁ ହେବ ଦିଲ୍ଲୀର ନିୟମ!

ଭୁବନେଶ୍ୱର: ପାଠ ବୋଝରେ ଭାରାକ୍ରାନ୍ତ ନ ହୁଅନ୍ତୁ କୋମଳମତି ଶିଶୁ। ଆଦ୍ୟ ଶୈଶବରେ ଖେଳକୁଦ ଓ ମନୋରଞ୍ଜନ ବଦଳରେ କୁନି କୁନି ପିଲାଙ୍କ ଉପରେ ବୋଝ ନ ହେଉ ସ୍କୁଲ୍‌ ହୋମ୍ଓ୍ୱାର୍କ। କିଛି ଦିନ ତଳେ ମାଡ୍ରାସ ହାଇକୋର୍ଟ ଦେଇଥିବା ଏଭଳି ନିର୍ଦ୍ଦେଶକୁ ଏବେ କାର୍ଯ୍ୟକାରୀ କରିଛନ୍ତି ଦିଲ୍ଲୀ ସରକାର। ତେଣୁ ଓଡ଼ିଶାରେ ବି ସମାନ ନିୟମ ଶୀଘ୍ର କାର୍ଯ୍ୟକାରୀ କରିବା ଜରୁରୀ ବୋଲି ଦାବି କରିଛନ୍ତି ଉଭୟ ଶିକ୍ଷାବିତ୍ ଓ ଅଭିଭାବକ।

ପିଲାଙ୍କୁ ପାଠ ବୋଝରେ ଭାରାକ୍ରାନ୍ତ ନ କରିବାକୁ ଦ୍ୱିତୀୟ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ହୋମଟାସ୍କ ନ ଦେବା ପାଇଁ ଦିଲ୍ଲୀ ଶିକ୍ଷା ନିର୍ଦ୍ଦେଶାଳୟ ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ସ୍କୁଲକୁ ସର୍କୁଲାର ଜାରି କରିଛି ।

ଦିଲ୍ଲୀ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ଆମ ରାଜ୍ୟର ଶିକ୍ଷାବିତ ଓ ଅଭିଭାବକମାନେ ସ୍ୱାଗତ କରିଛନ୍ତି। ଏଥିସହିତ ଓଡ଼ିଶାରେ ବି ପିଲାଙ୍କ ପାଇଁ ଏ ନିୟମ ଖୁବଶୀଘ୍ର ଲାଗୁ କରିବାକୁ ଶିକ୍ଷାବିତ୍‌ ଓ ଅଭିଭାବକଙ୍କ ପକ୍ଷରୁ ଦାବି ହୋଇଛି।

ପ୍ରକାଶ ଥାଉକି, ସିବିଏସ୍‌ଇ ସହ ଅନୁବନ୍ଧିତ ସମସ୍ତ ସ୍କୁଲରେ ଦ୍ୱିତୀୟ ଶ୍ରେଣୀ ପର୍ଯ୍ୟନ୍ତ କୋମଳମତି ପିଲାଙ୍କୁ ଯେପରି କୌଣସି ପ୍ରକାର ହୋମ୍ ଓ୍ୱାର୍କ ଦିଆ ନ ଯାଏ, ତାହା ନିଶ୍ଚିତ କରାଇବାକୁ ଗତ ମେ ୨୯ ତାରିଖରେ ସିବିଏସ୍‌ଇ କର୍ତ୍ତୃପକ୍ଷଙ୍କୁ ମାଡ୍ରାସ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ପରେ ଏହି ନିୟମକୁ କଡ଼ାକଡ଼ି ପାଳନ ପାଇଁ ଦାବି ହୋଇ ଆସୁଥିଲା।

 

 

You might also like