ଭୁବନେଶ୍ୱର: ଆର୍ଆର୍ବି(Railway Recruitment Board) ପରୀକ୍ଷାର୍ଥୀଙ୍କୁ ହୋମ୍ କ୍ୱାରେଣ୍ଟିନ୍ ମନା। ଆଜିଠାରୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ RRB ପରୀକ୍ଷା ହେବ। ତେବେ ପରୀକ୍ଷାର୍ଥୀଙ୍କ ପାଇଁ ହୋମ୍ କ୍ୱାରେଣ୍ଟିନ୍ କଟକଣା ଲାଗୁ ହେବ ନାହିଁ। ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି। ରେଲ୍ୱେ ଏବଂ ଏୟାରପୋର୍ଟ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଚିଠି ଲେଖି ଏସମ୍ପର୍କରେ ଜଣାଯାଇଛି।
ପ୍ରାୟ ୧୦,୫୦୦ ପରୀକ୍ଷାର୍ଥୀଙ୍କୁ ପୂର୍ବରୁ ଆଡମିଟ୍ କାର୍ଡ ଦିଆ ସରିଛି। ସେମାନେ ରେଲ୍ୱେ ଷ୍ଟେସନ୍ କିମ୍ବା ଏୟାରପୋର୍ଟରେ ଆଡମିଟ୍ କାର୍ଡ ଦେଖାଇ ଯାଇପାରିବେ। ମାସ୍କ ପିନ୍ଧି ସମ୍ପୂର୍ଣ୍ଣ କୋଭିଡ୍ ଗାଇଡ୍ଲାଇନ୍ ପାଳନ କରି ଛାତ୍ରଛାତ୍ରୀ ପରୀକ୍ଷା ଦେବେ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।
ସୂଚନାଥାଉ କି, ସାରା ଦେଶରେ ପୁଣି ଥରେ କରୋନା କାୟା ମେଲାଉଥିବା ବେଳେ ମହାମାରୀକୁ ନେଇ କିଛିଦିନ ତଳେ ଓଡ଼ିଶା ସରକାର କଟକଣା ଜାରି କରିଥିଲେ। ୫ ରାଜ୍ୟ ଯଥା- ମହାରାଷ୍ଟ୍ର, କେରଳ, ପଞ୍ଜାବ, ମଧ୍ୟପ୍ରଦେଶ ଓ ଛତିଶଗଡରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖାଯିବ ବୋଲି କୁହାଯାଇଥିଲା। ଏହି ରାଜ୍ୟରୁ ଫେରୁଥିବା ଲୋକ ମାନଙ୍କ ପାଇଁ ବିମାନବନ୍ଦର ଓ ରେଳ ଷ୍ଟେସନରେ ଥର୍ମାଲ ସ୍କ୍ରିନିଂ ସହ ରାପିଡ ଆଣ୍ଟିଜେନ କିଟ୍ ପରୀକ୍ଷା କରିବା ଉପରେ ବିଶେଷ ଧ୍ୟାନ ଦିଆଯିବ।