୫ ରାଜ୍ୟ ଫେରନ୍ତାଙ୍କ ଉପରେ କଡ଼ା ନଜର: ସପ୍ତାହେ ହୋମ୍ ଆଇସୋଲେସନ ବାଧ୍ୟତାମୂଳକ

ଭୁବନେଶ୍ୱର: ସାରା ଦେଶରେ ପୁଣି ଥରେ କରୋନା କାୟା ମେଲାଉଥିବା ବେଳେ ମହାମାରୀକୁ ନେଇ ରାଜ୍ୟରେ ଜାରି ହୋଇଛି କଡ଼ା କଟକଣା। ଏଣିକି ୫ଟି ରାଜ୍ୟ ମହାରାଷ୍ଟ୍ର, କେରଳ, ପଂଜାବ, ମଧ୍ୟପ୍ରଦେଶ ଓ ଛତିଶଗଡରୁ ଆସୁଥିବା ଯାତ୍ରୀମାନଙ୍କ ଉପରେ ନଜର ରଖାଯିବ। ଏହି ରାଜ୍ୟରୁ ଫେରୁଥିବା ଲୋକ ମାନଙ୍କ ପାଇଁ ବିମାନବନ୍ଦର ଓ ରେଳ ଷ୍ଟେସନରେ ଥର୍ମାଲ ସ୍କ୍ରିନିଂ ସହ ରାପିଡ ଆଣ୍ଟିଜେନ କିଟ ପରୀକ୍ଷା କରିବା ଉପରେ ବିଶେଷ ଧ୍ୟାନ ଦିଆଯିବ। ଏସବୁ ରାଜ୍ୟରୁ ଯେଉଁ ଯାତ୍ରୀମାନେ ଆସିବେ ସେମାନେ ବାଧ୍ୟତାମୂଳକ ସପ୍ତାହେ ହୋମ୍ ଆଇସୋଲେସନରେ ରହିବେ।

ଏହି ରାଜ୍ୟ ଗୁଡିକରେ ଦ୍ରୁତ ସଂକ୍ରମଣକୁ ନଜରରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ଘୋଷଣା କରାଯାଇଛି।ଆଇସୋଲେସନ୍‌ରେ ରହିବା ସମୟରେ କାହାର ଲକ୍ଷଣ ଥିଲେ ତାଙ୍କର RTPCR ଟେଷ୍ଟ କରାଯିବ। ତାସହ କୋଭିଡ୍ ପ୍ରୋଟୋକଲ୍ ମୁତାବକ ଚିକିତ୍ସା କରାଯିବ। ଲକ୍ଷଣ ଥିବା ଯାତ୍ରୀଙ୍କୁ ତୁରନ୍ତ ଆଣ୍ଟିଜେନ୍ ଟେଷ୍ଟ କରାଇବାକୁ ଚିଠି ଲେଖି ନିର୍ଦ୍ଦେଶନାମା ଜାରି କରିଛନ୍ତି ଅତିରିକ୍ତ ମୁଖ୍ୟ ସଚିବ। ସେହିପରି ଏହି ସମୟରେ  ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ  ବଜାୟ ରଖିବାକୁ ବାଧ୍ୟତାମୂଳକ କରାଯାଇଛି ।

ତେବେ କୋଭିଡ଼୍ ନେଗେଟିଭ ରିପୋର୍ଟ ଥିଲେ ଆଇସୋଲେସନ୍ ଜରୁରୀ ନୁହେଁ ବୋଲି ମଧ୍ୟ କୁହାଯାଇଛି। ସଂକ୍ରମଣର ଦ୍ୱିତୀୟ ଲହରୀ ସଂକ୍ରାମକ ହେବା ପୂର୍ବରୁ ସଚେତନ ରହିବାକୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ  ସବୁ ଜିଲ୍ଲାପାଳ, ନଗର ନିଗମ କମିସନର, ବିମାନବନ୍ଦର ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି । ପୂର୍ବରୁ ମହାରାଷ୍ଟ୍ର, କେରଳ, ତାମିଲନାଡୁ, ଛତିଶଗଡ଼, ମଧ୍ୟପ୍ରଦେଶ, ତେଲେଙ୍ଗାନା, ପଶ୍ଚିମବଙ୍ଗ, ପଞ୍ଜାବରୁ କର୍ଣ୍ଣାଟକ, ଦିଲ୍ଲୀ ଓ ଚଣ୍ଡୀଗଡ଼ର ଫେରନ୍ତାଙ୍କ ଲାଗି କଡ଼ା କଟକଣା ଲାଗୁ ହୋଇଥିଲା।

You might also like