‘ଭୟ କରନି, ଏବେ ଗୋଷ୍ଠୀ ସଂକ୍ରମଣର ଚିହ୍ନ ନାହିଁ’

ବ୍ରହ୍ମପୁର: ଗଂଜାମକୁ ଏବେ ଷ୍ଟେଜ୍-୩ର ଭୟ ନାହିଁ। ଗଂଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିଲେ ବି ଗୋଷ୍ଠୀ ସଂକ୍ରମଣର ଚିହ୍ନ ନାହିଁ ବୋଲି କହିଛନ୍ତି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ। ଗୋଷ୍ଠୀ ସଂକ୍ରମଣ ରୋକିବାକୁ ଆମ ଟିମ୍ ପ୍ରସ୍ତୁତ ରହିଛି, ଲୋକେ ଭୟ କରନ୍ତୁ ନାହିଁ ବୋଲି ସେ କହିଛନ୍ତି। ଜିଲ୍ଲାକୁ ଏଯାଏ ୩୫ ହଜାର ପ୍ରବାସୀ ଆସିଛନ୍ତି। ଆଗକୁ ମଧ୍ୟ ଆହୁରି ଆସିବେ। ତେବେ ଏଥିପାଇଁ ଚିନ୍ତା ନକରିବାକୁ ସ୍ଥାନୀୟ ଲୋକଙ୍କୁ ସେ ପରାମର୍ଶ ଦେଇଛନ୍ତି।

ରାଜ୍ୟରେ ବଢି ଚାଲିଛି କରୋନା ସଂକ୍ରମଣ। ଆଜି ପୁଣି ୨୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ବାଲେଶ୍ୱର ଜିଲ୍ଲାରୁ ସର୍ବାଧିକ ୧୫, ଗଞ୍ଜାମ ଜିଲ୍ଲାରୁ ୪, ଯାଜପୁରରୁ ୩  ଓ ପୁରୀରୁ ଜଣେ ସଂକ୍ରମିତ ରହିଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଗଂଜାମରେ ସଂକ୍ରମିତଙ୍କ ସଂଖ୍ୟା ୧୫୮ରେ ପହଞ୍ଚିଛି।

ଦିନକୁ ଦିନ ଗଂଜାମରେ ସ୍ଥିତି ଜଟିଳ ହେବାରେ ଲାଗିଛି। ରାଜ୍ୟର ସବୁଠାରୁ ଅଧିକ ସଂକ୍ରମିତଙ୍କ ସଂଖ୍ୟା ଏହି ଜିଲ୍ଲାରେ ଅଛନ୍ତି। ରାଜ୍ୟ ବାହାରର ଅଧିକରୁ ଅଧିକ ପ୍ରବାସୀ ଏଠାକୁ ଆସୁଥିବାରୁ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଛି। ଏନେଇ ଜିଲ୍ଲାବାସୀ ଅଧିକ ଭୟଭୀତ ହେଉଛନ୍ତି।

ତେବେ ଗଂଜାମରେ ଆଗକୁ ଆହୁରି ପ୍ରବାସୀ ଆସିବେ ଓ କିନ୍ତୁ ଭୟ କରନ୍ତୁ ନାହିଁ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି। ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪୩୭ ହୋଇଥିବା ବେଳେ ୩୪୯ଟି ଆକ୍ଟିଭ କେସ୍ ରହିଛି।

You might also like