କାଳିଆ ଯୋଜନା ପାଣ୍ଠିକୁ ନେଇ ଉତ୍ତର ରଖିଲା ବିଜେଡି

ଭୁବନେଶ୍ୱର: କାଳିଆ ଯୋଜନାର ପାଣ୍ଠିକୁ ନେଇ ବିରୋଧୀ ସରକାରଙ୍କୁ ଘେରିବା ପରେ ଏହାର ଉତ୍ତର ରଖିଛି ବିଜେଡି। ଚାଷୀଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ରାଜ୍ୟ ସରକାର କାଳିଆ ଯୋଜନା ଆରମ୍ଭ କରିଛନ୍ତି ବୋଲି କହିଛି ଦଳ। ଏହି ଯୋଜନା ଦ୍ୱାରା ରାଜ୍ୟ ଅର୍ଥନୀତି ପଛେଇବ ନାହିଁ କିମ୍ବା ରାଜ୍ୟବାସୀଙ୍କ ମୁଣ୍ଡପିଛା ଋଣ ବଢ଼ିବ ନାହିଁ ବୋଲି ବିଜେଡି କହିଛି।

ଏହି ଯୋଜନା ଦ୍ୱାରା ଚାଷୀଙ୍କ ବିକାଶ ହେବା ସହ ରାଜ୍ୟ ଅର୍ଥନୀତିକୁ ସେମାନଙ୍କ ଅବଦାନ ବଢ଼ିବ ବୋଲି ସରକାର ଆଶା ରଖିଛନ୍ତି। ଏହି ଯୋଜନା କାର୍ଯ୍ୟକାରୀ କରିବା ଅତ୍ୟନ୍ତ ଜରୁରୀ ଥିବାରୁ ରାଜ୍ୟ ସରକାର ରାଜ୍ୟ ବିପର୍ଯ୍ୟୟ ଓ ଜରୁରୀକାଳୀନ ପାଣ୍ଠିରୁ ଟଙ୍କା ଉଠାଇଛନ୍ତି।  ତେବେ ପାଣ୍ଠିର ଦୂରୁପଯୋଗ ନେଇ ବିରୋଧୀ ଆଣୁଥିବା ଅଭିଯୋଗକୁ ବିଜେଡି ଖଣ୍ଡନ କରିଛି। ଆଇନ ପରିସରରେ ରହି ଏହି ପଦକ୍ଷେପ ନିଆଯାଇଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ତେବେ ପୂର୍ବରୁ ଥିବା ରାଜ୍ୟ ସରକାର କେମିତି ଏହି ପାଣ୍ଠି ବ୍ୟବହାର କରିଥିଲେ ତାହାର ମଧ୍ୟ ବିଜେଡି ଉଦାହରଣ ଦେଇଛି। ଅନ୍ୟପଟେ ରାଜ୍ୟ ସରକାର ଭୋଟ ପାଇଁ ଯୋଜନା ପରେ ଯୋଜନା କରୁଛନ୍ତି, ଏଥିଯୋଗୁ ରାଜ୍ୟର ଅର୍ଥନୀତି ବିଗିଡ଼ିଯିବ ବୋଲି ବିରୋଧୀ କହିଛନ୍ତି।

You might also like